ଅନୁଗୁଳ: ଅନୁଗୁଳ ପୌରାଞ୍ଚଳରେ ନିର୍ବାଚନର ପୂର୍ବ ଦିନ ବୁଧବାର ଅପରାହ୍ନରେ ଏକ ନିର୍ବାଚନି ହିଂସା ଦେଖା ଦେଇଛି। ଏ ନେଇ ୨ଟି ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଛି।
ସୂଚନା ଯେ, ସହରର ଶିମିଳିପଡ଼ାର ସ୍ବାଧିନ ପୌରାଧ୍ୟକ୍ଷ ପ୍ରାର୍ଥୀ ଅନିରୁଦ୍ଧ ଦାସ ଅନୁଗୁଳ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯେ, ଅପରାହ୍ନରେ ସେ ଘରକୁ ଫେରୁଥିବା ସମୟରେ ତାଙ୍କ ଘରପାଖରେ ବହୁତ ଗୁଡ଼ିଏ ମୋଟର ଯାନ ଠିଆ ହୋଇଥିବାରୁ ସେ ଫୋନରେ ଗଣମାଧ୍ୟମ ପ୍ରତିନିଧିଙ୍କୁ କଲ କରିଥିଲେ। ଏହି ସମୟରେ ୧ ନଂ ୱାର୍ଡର ବିଜେଡି କାଉଁସିଲର ପ୍ରାର୍ଥୀ ସୁକାନ୍ତି ଦାସ, ତାଙ୍କ ସ୍ବାମୀ ଚିନୁ ଦାସ ଅନ୍ୟ ସହଯୋଗିମାନେ ଅନିରଦ୍ଧଙ୍କୁ ମାଡ଼ମାରି ଏକ ଧଳାରଙ୍ଗର କାରରେ ବସାଇ ନେବାକୁ ଉଦ୍ୟମ କରୁଥିବା ବେଳେ ସାହି ଲୋକମାନେ ଆସି ତାଙ୍କୁ ଉଦ୍ଧାର କରିଥିଲେ। ଏହି ଅଭିଯୋଗପାଇ ପୁଲିସ ଥାନାରେ ଏକ ମାମଲା ରୁଜୁକରିଛି।
ସେହିଭଳି ୧ନଂ ୱାର୍ଡର ବିଜେଡି କାଉଁସିଲର ପ୍ରାର୍ଥୀ ସୁକାନ୍ତି ଦାସ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯେ, ସେ ତାଙ୍କ ଜଣେ ମହିଳା ସହଯୋଗିଙ୍କସହ ରାଣୀଗୁଡ଼ାରୁ ଫେରୁଥିବା ସମୟରେ ୱାର୍ଡର ଜଣେ ପରିଚିତଙ୍କସହ କଥା ହେଉଥିବା ବେଳେ ପୌରଧ୍ୟକ୍ଷ ପ୍ରାର୍ଥୀ ଅନିରୁଦ୍ଧ ଦାସ ଏକ ମୋବାଇଲରେ ତାଙ୍କର ଫଟୋ ଉଠାଇଥିଲେ। ଆମ ମହିଳା ମାନଙ୍କ କାହିଁକି ଫଟୋ ଉଠାଉଛ ବୋଲି କହିବାରୁ ଅନିରୁଦ୍ଧଙ୍କ ସହଯୋଗିମାନେ ସେଠାରେ ପହଞ୍ଚି ସେମାନଙ୍କୁ ଦୁବ୍ୟବହାର କରିବାସହ ଟଣା ଓଟରାକରି ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ।ଏହି ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି।