ଅନୁଗୁଳ: ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପରିଚାଳନା ସମିତିର କିଛି ସଦସ୍ୟଙ୍କ ଦ୍ବାରା ହେଉଥିବା ଅନ୍ୟାୟ ଓ ଦୁର୍ନୀତି ବିରୁଦ୍ଧରେ ଅନୁଗୁଳ ଜଗନ୍ନାଥ ସେନା ପକ୍ଷରୁ ବୁଧବାର ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି।
ଦୀର୍ଘବର୍ଷ ଧରି ଅନୁଗୁଳ ଶୈଳ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ହେଉଥିବା ଅନ୍ୟାୟ ଓ ଦୁର୍ନୀତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜଗନ୍ନାଥ ସେନା ଦାବି କରିଆସୁଛି। କିନ୍ତୁ କେହି କର୍ଣ୍ଣପାତ କରୁ ନାହାନ୍ତି। ଏଣୁ ପ୍ରତିବାଦରେ ବୁଧବାର ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛି ଜଗନ୍ନାଥ ସେନା।
ସେନାର ଅଭିଯୋଗ ଅନୁଯାୟୀ, ମନ୍ଦିର ପରିଚାଳନା ନିମନ୍ତେ ହୋଇଥିବା ବାଇ-ଲର ନିୟମକୁ ଖୁଲମଖୁଲା ଉଲ୍ଲଂଘନ କରାଯାଇ ଗୋଟିଏ ପଦବୀରେ ସମ୍ପାଦକ ହେମନ୍ତ ଦାଶ ଓ ଉପ ସଭାପତି ତଥା ବିଶେଷ ପୂଜା କମିଟି ଅଧ୍ୟକ୍ଷ ଭବାନୀ ପ୍ରସାଦ ମିଶ୍ର ଦୀର୍ଘଦିନ ଧରି ଅଛନ୍ତି। ଏଣୁ ଉଭୟଙ୍କୁ ତୁରନ୍ତ ଉକ୍ତ ପଦବୀରୁ ବହିଷ୍କାର କରାଯାଇ ନୂତନ ସଦସ୍ୟ ମାନଙ୍କୁ ଦାୟିତ୍ବ ଦିଆଯିବାର ବ୍ୟବସ୍ଥା କରାଯାଉ ବୋଲି ଜଗନ୍ନାଥ ସେନା ଦାବି କରିଛି।
ଏଥିସହିତ ନିୟମାନୁଯାୟୀ ବାର୍ଷିକ ସାଧାରଣସଭା ରଥଯାତ୍ରା ପୂର୍ବରୁ ବା ଏପ୍ରିଲ ମାସ ଭିତରେ ହେବା କଥା। କିନ୍ତୁ ତାହା ହେଉନି। ଏଥିସହ ୨୦୦୪ ମସିହାଠାରୁ ମନ୍ଦିରର ଆୟବ୍ୟୟର ଅଡିଟ୍ ରିପୋର୍ଟ ସାର୍ବଜନୀନ କରାଯିବା ସହିତ କୌଣସି ନିରପେକ୍ଷ ସଂସ୍ଥା ଦ୍ବାରା ଅଡିଟ୍ କରାଯାଉ ବୋଲି ମଧ୍ୟ ଜଗନ୍ନାଥ ସେନା ଦାବି ରଖିଛି। ଯେ ପର୍ଯ୍ୟନ୍ତ ଉପରୋକ୍ତ ସମସ୍ୟାର ସମାଧାନ ନହୋଇଛି ଏ ଗଣଧାରଣା ଜାରି ରହିବ ବୋଲି ଜଗନ୍ନାଥ ସେନା ଚେତାବନୀ ଦେଇଛି।











