ଅନୁଗୁଳ: ଓଡ଼ିଶାର ବିଶିଷ୍ଟ ନାଟ୍ୟ ଅଭିନେତା ନିର୍ଦ୍ଦେଶକ ତଥା ଅନୁଗୁଳ କଳାକାର ଅନୁଷ୍ଠାନର ପ୍ରତିଷ୍ଠାତା ସଦସ୍ୟ ଶରତ କୁମାର ମାଝୀଙ୍କ ଆଜି ସକାଳେ ପରଲୋକ ଘଟିଛି।ସେ ଭୁବନେଶ୍ୱରରେ ଥିବାବେଳେ ହଠାତ୍ ହୃଦଘାତ ହୋଇଥିଲା। ତାଙ୍କୁ ତୁରନ୍ତ ଏକ ଘରୋଇ ହସ୍ପିଟାଲରେ ଭର୍ତିଁ କରାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ତାଙ୍କ ପରଲୋକ ଖବର ମିଳିବା ପରେ ଅନୁଗୁଳରେ ଶୋକର ଛାୟା ଖେଳି ଯାଇଥିଲା।
ସନ୍ଧ୍ୟାରେ ଅନୁଗୁଳ ବାସନ୍ତୀ ପାଠାଗାର ଠାରେ କଳାକାର ସଭାପତି ଭୂପେଶ୍ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ବରେ ଏକ ଶୋକ ସଭା କରାଯାଇ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।କଳାକାର ସଦସ୍ୟ ମାନେ ସ୍ବର୍ଗତ ମାଝୀଙ୍କ କଳାକାର ଅନୁଷ୍ଠାନ ପ୍ରତି ତାଙ୍କର ଅବଦାନ ତାଙ୍କର ବଳିଷ୍ଠ ପ୍ରତିଭା କଥା ସ୍ମରଣ କରିବା ସହ ଦିବଂଗତ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ଏଠାରେ ସୂଚନାଯୋଗ୍ୟ ଯେ,ସ୍ବର୍ଗତ ମାଝୀଙ୍କ ଜନ୍ମ ତାଳଚେର ଗୋପିନାଥପୁର ଠାରେ ହୋଇଥିଲା। ସେ ଅନୁଗୁଳରୁ ଶିକ୍ଷା ଗ୍ରହଣ ପରେ ରାଜ୍ୟ ପୋଲିସ ବିଭାଗରେ ଚାକିରି କରି ଅଳ୍ପ କିଛି ମାସ ତଳେ ହେଡ୍ କ୍ଲର୍କ ଭାବେ ଅବସର ନେଇଥିଲେ। ସେ୧୯୮୪ ମସିହାରେ କଳାକାର ନାଟ୍ୟାନୁଷ୍ଠାନ ପ୍ରତିଷ୍ଠା କରିଥିଲେ।ସେ ଅନ୍ନପୂର୍ଣ୍ଣା ଥିଏଟର ବି ଗ୍ରୁପ୍ର ସଭାପତି ଥିଲେ। ଅଲ୍ ଇଣ୍ଡିଆ ରେଡ଼ିଓ ଓ ଦୂରଦର୍ଶନର ଜଣେ ସ୍ଵୀକୃତିପ୍ରାପ୍ତ କଳାକାର ଥିଲେ। ଓଡ଼ିଶା ନାଟ୍ୟ ସଂଘର ସଦସ୍ୟ ମଧ୍ୟ ଥିଲେ। ୨୦ ରୁ ଅଧିକ ନାଟକରେ ସେ ନିର୍ଦ୍ଦେଶନା ଦେଇଥିବା ବେଳେ ୮୦ ରୁ ଅଧିକ ନାଟକରେ ଅଭିନୟ କରି ଦର୍ଶକ ଳଙ୍କ ଅନେକ ପ୍ରଶଂସା ସାଉଁଟି ଥିଲେ।
ତାଙ୍କ ପରଲୋକରେ ପୂର୍ବତନ ତାମଡ଼ା ଅଧ୍ୟକ୍ଷ ଶକ୍ତି ପ୍ରସାଦ ପଟ୍ଟନାୟକ ମଧ୍ୟ ନିଜ ଶୋକ ବାର୍ତ୍ତାରେ ସ୍ବର୍ଗତ ମାଝୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ଅନୁଗୁଳ କଳା ସଂସ୍କୃତିର ସେ ଜଣେ ବାର୍ତ୍ତାବହ ଥିଲେ ବୋଲି ଉଲ୍ଲେଖ କରିଥିଲେ । ଶୋକ ସଭାରେ କଳାକାର ସମ୍ପାଦକ ବିଭୂତି ଭୂଷଣ ମହାପାତ୍ରଙ୍କ ସମେତ ବହୁ କଳାକାର ସଦସ୍ୟ ଉପସ୍ଥିତ ଥିଲେ ।