ଅନୁଗୋଳ: ଅନୁଗୋଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦେଶ ଓ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରାଯାଇଛି। ଅଖିଳ ଭାରତୀୟ କଂଗ୍ରେସ କମିଟିର ପ୍ରୋଗ୍ରାମ କୋଅର୍ଡିନେଟର ରୋଶନ ଲାଲ ବିଟ୍ଟୁ ଯୋଗଦେଇ ନିଟ୍ (NEET) ପରୀକ୍ଷାରେ ଅନିୟମିତତାକୁ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରିଛନ୍ତି।
ସେ ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଅବହେଳା ଯୋଗୁଁ ଆଜି ଦେଶରେ ଶିକ୍ଷା ଅରାଜକତା ସୃଷ୍ଟି ହୋଇଛି। ଏହାର ପ୍ରତିବାଦରେ କଂଗ୍ରେସ ପକ୍ଷରୁ ‘ଛାତ୍ରୋଙ୍କି ଗୁଞ୍ଜ’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ସେହିପରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କୁହାଯାଇଛି ଯେ, ବିଦ୍ୟାଳୟରେ ପୁସ୍ତକ ଯୋଗାଣରେ ବିଫଳତା ଏବଂ ପାଠ୍ୟପୁସ୍ତକରେ ରହିଥିବା ଭୁଲ ସରକାରଙ୍କ ଅପାରଗତାକୁ ପ୍ରମାଣିତ କରୁଛି। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଥିବା ଏହି ସରକାର ବିରୋଧରେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଚେତାବନୀ ଦିଆଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା କଂଗ୍ରେସର ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ।











