ଅନୁଗୁଳ: ଅନୁଗୁଳ-ପୁରୀ ‘ମେମୁ’ ଟ୍ରେନ୍ ଅନୁଗୁଳଠାରୁ ଚଳାଚଳ କରିବା ଦାବିରେ ଏସ୍ୟୁସିଆଇ (କମ୍ୟୁନିଷ୍ଟ) ଅନୁଗୁଳ ଜିଲ୍ଲା କମିଟି ପକ୍ଷରୁ ଶୁକ୍ରବାର ଅନୁଗୁଳ ରେଳ ଷ୍ଟେସନଠାରେ ଆନ୍ଦୋଳନ କରାଯାଇଥିଲା। ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ କରିବା ସହିତ ସମସ୍ତ ପ୍ରକାର ଯାତ୍ରୀବାହୀ ଟ୍ରେନ୍ ସ୍ବାଭାବିକ ଭାବେ ଚଳାଚଳ କରାଇବା, ଅନୁଗୁଳ-ତାଳଚେର ଲୁପ୍ ଲାଇନ୍ କାର୍ଯ୍ୟକ୍ଷମ କରିବା ଦାବିରେ ଏହି ଆନ୍ଦୋଳନ ଡାକରା ଦିଆଯାଇଥିଲା। ପୂର୍ବାହ୍ନ ୯ଟା ବେଳେ ଆନ୍ଦୋଳନକାରୀମାନେ ଶିକ୍ଷକପଡାସ୍ଥିତ ଦଳୀୟ କାର୍ଯ୍ୟାଳୟଠାରୁ ଏକ ଶୋଭାଯାତ୍ରାରେ ବାହାରି ରେଲୱେ ଷ୍ଟେସନଠାରେ ପହଞ୍ଚିଥିଲେ ତେବେ ରେଳ ସୁରକ୍ଷା ବଳ ଓ ପୁଲିସ ବାହିନୀ ଆନ୍ଦୋଳନକାରୀଙ୍କୁ ଷ୍ଟେସନ ଭିତରକୁ ଯିବାକୁ ନଦେବାରୁ ସେମାନେ ଲୋକୋସେଡ୍ ରାସ୍ତାରେ ଯାଇ ଲେଭେଲ୍ କ୍ରସିଂଠାରେ ରେଳ ଲାଇନ୍ ଉପରେ ଧାରଣାରେ ବସିବାକୁ ପ୍ରସ୍ତୁତ ଚଳାଇଥିଲେ ପୁଲିସ ବାହିନୀ ଆନ୍ଦୋଳନକାରୀଙ୍କୁ ଅଟକାଇବାରୁ କିଛି ସମୟ ପାଇଁ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଫଳରେ ରାସ୍ତା ଉପରେ ଆନ୍ଦୋଳନକାରୀ ବସି ରହିଥିଲେ। ଅତିରିକ୍ତ ଡିଆରଏମ ଆନ୍ଦୋଳନସ୍ଥଳକୁ ଆସି ଦାବି ସମ୍ପର୍କରେ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ ।୧ ଜାନୁଆରୀ ୨୦୨୨ ଠାରୁ ଅନୁଗୁଳ-ପୁରୀ ‘ମେମୁ’ ଟ୍ରେନ୍ ଅନୁଗୁଳଠାରୁ ସପ୍ତାହକୁ ତିନି ଦିନ ଦୁଇ ସପ୍ତାହ ପର୍ଯ୍ୟନ୍ତ ଚାଲିବ। ପରବର୍ତୀ ସମୟରେ ସ୍ଵାଭାବିକ ଭାବରେ ଦୈନିକ ଚଳାଚଳ କରିବ ବୋଲି ଘୋଷଣା କରିବା ସହିତ ଅନ୍ୟ ଦାବିଗୁଡିକ ସମ୍ପର୍କରେ ରେଳ ବିଭାଗର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଇ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଏସ୍ୟୁସିଆଇ(କମ୍ୟୁନିଷ୍ଟ) ଜିଲ୍ଲା କମିଟି ସଭ୍ୟ ନବକିଶୋର ପ୍ରଧାନ, ପ୍ରହଲ୍ଲାଦ ଚନ୍ଦ୍ର ସାହୁ, ବ୍ରଜବନ୍ଧୁ ସାହୁ, ସୁବାସ ପ୍ରଧାନ, ତୀର୍ଥବାସୀ ଭୋଇ, ମାନସ ପାଳ, ରଣଜିତ୍ ପ୍ରଧାନ, ମାନସୀ ସ୍ବାଇଁ, ମନ୍ଦୋଦରୀ ରାଉଳ, ସରୋଜିନୀ ନାୟକ, କୈଳାସ ସାହୁ, ଟୁନା ନାଏକ, ପରମାନନ୍ଦ ସାହୁ, ଅନୁଗୁଳ ଜିଲ୍ଲା ଜନଜୀବନ ସୁରକ୍ଷା କମିଟିର ଅନ୍ୟତମ ଆବାହକ ଅଭିମନ୍ୟୁ ସ୍ବାଇଁ, ରମେଶ ସାହୁ, ଦାମୋଦର ଦାସ, ନିରୋଦ ପାଳ, ତ୍ରିଲୋଚନ ଜେନା, ପ୍ରମୋଦ ବେହେରା ପ୍ରମୁଖ ଆନ୍ଦୋଳନରେ ସାମିଲ ଥିଲେ।
ଅନୁଗୁଳରୁ ମେମୁ ଚଳାଚଳ ଦାବିରେ ଆନ୍ଦୋଳନ
- Post published:December 18, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau

Tags: Angul