ବୋହୂକୁ ନିର୍ଯାତନା: ଶାଶୂ, ଶ୍ୱଶୁର ଗିରଫ

You are currently viewing ବୋହୂକୁ ନିର୍ଯାତନା: ଶାଶୂ, ଶ୍ୱଶୁର ଗିରଫ

ଅନୁଗୁଳ: ବୋହୂକୁ ନିର୍ଯାତନା ଦେବା ଅଭିଯୋଗରେ ଗିରଫ ହୋଇଛନ୍ତି ଶାଶୂ ଓ ଶ୍ବଶୁର। ଏହି ଦଂପତି ହେଲେ ଅନୁଗୁଳ ଥାନା ଅନ୍ତର୍ଗତ ଆଙ୍କୁଲା ଗାଁର ସୁଜନ ନାଏକ ଓ ତାଙ୍କ ପତ୍ନୀ ସଜନୀ ନାଏକ। ପୁଲିସ ସୂଚନା ଅନୁସାରେ, ଆଙ୍କୁଲାର ସାନୁ ନାଏକଙ୍କ ସ୍ତ୍ରୀ କନକଲତା ନାଏକ(୪୦)ଙ୍କୁ ଶାଶୂ ଓ ଶ୍ବଶୁର ବାରମ୍ବାର ନିର୍ଯାତନା ଦେଇ ଆସୁଥିଲେ। କଟକ ଜିଲ୍ଲାର କନକ ୨୦୦୭ ମସିହାରେ ସାନୁଙ୍କୁ ବିବାହ କରିଥିଲେ। ଏହା ପରଠାରୁ ବିଭିନ୍ନ କାରଣ ଦେଖାଇ ଶାଶୂ ସଜନୀ ନାଏକ ଓ ଶ୍ଵଶୁର ସୁଜନ ନାଏକ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ନିର୍ଯାତନା ସହିନପାରି କନକ ତାଙ୍କ ବାପ ଘରକୁ ମଝିରେ ପଳାଇ ଯାଇଥିଲେ। ପରେ ସାନୁ ତାଙ୍କ ପତ୍ନୀଙ୍କୁ ବୁଝାସୁଝା କରି ଘରକୁ ଆଣିଥିଲେ। ବାପା ଓ ମା’ଙ୍କ କଥାକୁ ଗୁରୁତ୍ବ ନ ଦେବାକୁ କହିଥିଲେ। ତଥାପି ଶାଶୂ ଓ ଶ୍ବଶୁରଙ୍କ ଅଭ୍ୟାସ ବଦଳି ନ ଥିଲା। ଗତ ୨୦ ତାରିଖ ସକାଳେ କନକ କବାଟ ବନ୍ଦକରି ଲୁଗା ବଦଳାଉଥିବା ବେଳେ ସୁଜନ ଓ ସଜନୀ କବାଟ ବାଡ଼େଇଥିଲେ। କନକ କବାଟ ଖୋଲିବା ମାତ୍ରେ ତାଙ୍କୁ ଉଭୟେ ଟଣାଓଟରା କରି ବିଭିନ୍ନ କଥାକହି ମାଡ଼ ମାରିଥିଲେ। ଏ ନେଇ କନକ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସୁଜନ ଓ ସଜନୀଙ୍କୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି।

Share

Leave a Reply