ଅନୁଗୋଳ: ଅନୁଗୋଳ ଡିଫେନ୍ସ ଭେଟରାନ ବା ପୂର୍ବତନ ସୈନିକ ସଂଘ ୨୬.୭.୨୦୨୩ ଦିନ ପ୍ରତିଷ୍ଠା କରାଯାଇଥିଲା। ସେହିଦିନଠାରୁ ଏହି ସଂଘ ପକ୍ଷରୁ ଜିଲ୍ଲାର ଅବସରପ୍ରାପ୍ତ ଯବାନ ତଥା ଜନସାଧାରଣଙ୍କ ହିତରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।ଏକ ସାମ୍ବାଦିକ ସମ୍ମିଳନୀରେ ସଂଘର କାର୍ଯ୍ୟକ୍ରମ ନେଇ ସବିଶେଷ ତଥ୍ୟ ଦେଇଥିଲେ ସଂଘ ର ସଭାପତି ଅନିଲ କୁମାର ମହାନ୍ତି। ପ୍ରଥମ କଥା ହେଲା ବେକାର ଯୁବକ ଯେଉଁ ମାନେ ପୋଲିସ, ସେନା, ଅବକାରୀ, ଅଗ୍ନିଶମ , ସିଆଇଏସଏଫ୍, ସିଆର୍ପିଫ,ତଥା ଅନ୍ୟାନ୍ୟ ପାରା ମିଲିଟାରୀ ଫୋର୍ସ ରେ ଯୋଗ ଦେବାକୁ ଚାହୁଁ ଛନ୍ତି ସେମାନଙ୍କୁ ନିଃଶୁଳ୍କ ଶାରୀରିକ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି।
ଅନୁଗୋଳ ଓ ତାଳଚେର ରେ ଏଥିପାଇଁ କେନ୍ଦ୍ର ରହିଛି। ବର୍ତ୍ତମାନସୁଦ୍ଧା ୫୦ ରୁ ଉର୍ଦ୍ଧ୍ବ ଯୁବକ ଏହି ତାଲିମ ନେଇ ବିଭିନ୍ନ ବିଭାଗରେ ନିଯୁକ୍ତି ପାଇ ସାରିଲେଣି। ଏହାଛଡା ଅବସରପ୍ରାପ୍ତ ଯବାନ ମାନଙ୍କ ପାଇଁ ପୁନଃ ନିଯୁକ୍ତିର ସେବା ଯୋଗାଇଦେବାରେ ସହାୟତା କରାଯାଉଛି।କୌଣସି ସେନା କର୍ମଚାରୀ ମୃତ୍ୟୁବରଣ କଲେ ତାଙ୍କୁ ଉପଯୁକ୍ତ ମର୍ଯ୍ୟାଦା ଦେଇ ଅନ୍ତ୍ୟେଷ୍ଟି କ୍ରିୟା କରାଯାଉଛି। ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପେନସନ, ସ୍ପର୍ଶ,ଡିଜିଟାଲ ଲାଇଫ ସାର୍ଟିଫିକେଟ,ଶିକ୍ଷା ବୃତ୍ତି,କନ୍ୟା ବିବାହ ସହାୟତା ପ୍ରଦାନ ରେ ସଙ୍ଘ ନିରନ୍ତର କାର୍ଯ୍ୟ କରିଚାଲିଛି।ଏତଦବ୍ୟତୀତ ବର୍ଷର ବିଭିନ୍ନ ସମୟରେ ବୃକ୍ଷରୋପଣ,ରକ୍ତଦାନ ଶିବିର ଆଦି ଆୟୋଜନ କରାଯାଉଛି।
ପ୍ରାକୃତିକ ଦୁର୍ବିପାକ ସମୟରେ ସହାୟତା ଆବଶ୍ୟକ ହେଲେ ସଂଘର ସଦସ୍ୟ ମାନେ ଏଥିନେଇ ସହାୟତା କରିବାକୁ ସଦା ପ୍ରସ୍ତୁତ ହୋଇ ରହିଛନ୍ତି। ସ୍ୱଚ୍ଛ ଭାରତ ଅଭିଯାନରେ ସହରର ବିଭିନ୍ନ ସ୍ଥାନ ସଂଘ ପକ୍ଷରୁ ସଫେଇ କରାଯାଇଆସୁଛି। ଆଜିର ଏହି ସାମ୍ବାଦିକ ସମ୍ମିଳନୀ ରେ ଅନ୍ୟମାନଙ୍କ ମଧ୍ୟରେ ସଂଘ ଉପ ସଭାପତି ରଞ୍ଜିତ ଜେନା, ସମ୍ପାଦକ ସୁଶାନ୍ତ ପ୍ରଧାନ,ଯୁଗ୍ମ ସମ୍ପାଦକ ପ୍ରଶାନ୍ତ ମିଶ୍ର, ସଂଗଠନ ସମ୍ପାଦକ ବିଭୂତି ଭୂଷଣ ପଟ୍ଟନାୟକ,କୋଷାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ସାହୁ ଏବଂ କାର୍ଯ୍ୟକାରିଣୀ ସଦସ୍ୟ ନାରାୟଣ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।











