ଅନୁଗୁଳ: ବଡ଼ଦିନ ଓ ନୂଆବର୍ଷ ପାଳନ ଉପରେ ଲାଗିଛି କଟକଣା। ସ୍ୱତନ୍ତ୍ର ରିଲିଫ୍ କମିଶନର ନୂଆ କଟକଣା ଜାରି କରିଛନ୍ତି। ଡିସେମ୍ବର ୨୫ରୁ ଜାନୁଆରୀ ୨ ତାରିଖ ଯାଏ ଜନସମାବେଶ, ର୍ୟାଲି, ସାଂସ୍କୃତିକ କାର୍ଯ୍ୟକ୍ରମ ବାରଣ କରାଯାଇଛି । ଖ୍ରୀଷ୍ଟମାସ ଉତ୍ସବ ପାଳନରେ ଚର୍ଚ୍ଚରେ କୋଭିଡ୍ କଟକଣା ମଧ୍ୟରେ ସର୍ବାଧିକ ୫୦ ଜଣ ସାମିଲ୍ ହୋଇପାରିବେ । ଜନଗହଳି ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି । ଜିରୋ ନାଇଟ୍ ସେଲିବ୍ରେସନ୍, ହୋଟେଲରେ ନୂଆ ବର୍ଷ ପାଳନ ହୋଇପାରିବ ନାହିଁ । କ୍ଲବ, ରେଷ୍ଟୁରାଣ୍ଟ, ପାର୍କ୍ସ, କନଭେନସନ୍ ହଲ, କଲ୍ୟାଣ ମଣ୍ଡପରେ ମଧ୍ୟ ଜିରୋ ନାଇଟ୍ ପାଳନ ଉପରେ ରୋକ୍ ଲଗାଯାଇଛି । ସେହିପରି ବିବାହ ଉତ୍ସବ ବ୍ୟତୀତ ଅନ୍ୟ କେଉଁଥିରେ ଭୋଜିଭାତ ଉତ୍ସବ ହେବ ନାହିଁ । କୋଭିଡ୍ କଟକଣା ମଧ୍ୟରେ ଅନ୍ତ୍ୟେଷ୍ଟି କ୍ରିୟା ପାଳନ ହେବ । ସର୍ବସାଧାରଣରେ କୌଣସି ଭୋଜିଭାତ, ବଣଭୋଜି ହୋଇପାରିବ ନାହିଁ । କଟକଣା ଉଲ୍ଲଂଘନ କଲେ ସ୍ଥାନୀୟ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ । ଆବଶ୍ୟକସ୍ଥଳେ ସ୍ଥାନୀୟ ପ୍ରଶାସନ ଅତିରିକ୍ତ କଟକଣା ଜାରି କରିବା ନେଇ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି ।