ଅନୁଗୁଳ: ଅନୁଗୁଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ରାଜ୍ୟ ସରକାରଙ୍କ ଦ୍ବାରା କରାଯାଇଥିବା ରକ୍ଷକ ପ୍ରକଳ୍ପର ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏଥିରେ ଅତିରିକ୍ତ ଜିଲ୍ଲାପାଳ ରଜନୀକାନ୍ତ ସ୍ବାଇଁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସଡ଼କ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟାକୁ ହ୍ରାସ କରିବା ପାଇଁ କରାଯାଇଥିବା ଏହି ରକ୍ଷକ ପ୍ରକଳ୍ପରେ ସ୍ବେଚ୍ଛାସେବୀମାନେ ଦୁର୍ଘଟଣାସ୍ଥଳରେ ପହଞ୍ଚି ଏହାର ସୁପରିଚାଳନାକରି ଆହତମାନଙ୍କୁ ଉଦ୍ଧାରକରି ପ୍ରାଥମିକ ଚିକିତ୍ସାକରି ନିକଟସ୍ଥ ଚିକିତ୍ସାଳୟକୁ ଆହତମାନଙ୍କୁ କିଭଳି ପଠାଇପାରିବେ ସେ ନେଇ ପ୍ରଶିକ୍ଷଣ ଦିଆଯାଇଥିଲା। ଏହାଦ୍ବାରା ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ହ୍ରାସ ପାଇବ ବୋଲି ଅତିଥିମାନେ ପ୍ରକାଶ କରିଥିଲେ। ୩୦ ସପ୍ତାହରେ ରାଜ୍ୟର ୩୦ ଜିଲ୍ଲାରେ ୩୦ ହଜାର ସ୍ବୋଚ୍ଛାସେବୀଙ୍କୁ ଏହି ପ୍ରଶିକ୍ଷଣ ଦିଆଯିବା ପାଇଁ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇଛି। ଏହି କ୍ରମରେ ଅନୁଗୁଳ ଜିଲ୍ଲାରେ ଏହାର ଶୁଭାରମ୍ଭ କରାଯାଇଛି। ଅନୁଗୁଳ ଆଞ୍ଚଳିକ ପରିବହନ ଅଧିକାରୀ ବିଭବ ସାମନ୍ତସଂହରାୟଙ୍କ ଅଧ୍ୟତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ତାଳଚେର ଆଞ୍ଚଳିକ ପରିବହନ ଅଧିକାରୀ ସମରେନ୍ଦ୍ର ପଟ୍ଟନାୟକ, ଏମ୍ଭିଆଇ ମାନସ ମିଶ୍ର, ସଡ଼କ ସୁରକ୍ଷା ଅଧିକାରୀ ଗିରିଶ ଚନ୍ଦ୍ର ତ୍ରିପାଠୀ, ମାଷ୍ଟର ଟ୍ରେନର ଡ଼ଃ ବିକ୍ରମ ମହାନ୍ତି ଓ ଅଭିଶେକ ସିଂ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ। ଏଥିରେ ଶହେରୁ ଊର୍ଦ୍ଧ୍ବ ଯୁବ ଓ କନିଷ୍ଠ ରେଡକ୍ରସ ସ୍ବୋଚ୍ଛାସେବୀ, ସାମାଜିକ ସୁରକ୍ଷା କର୍ମୀ ଓ ସ୍ବେଚ୍ଛାସେବୀ ଅଂଶଗ୍ରହଣ କରିଥିଲେ।
ରକ୍ଷକ ପ୍ରକଳ୍ପ ପ୍ରଶିକ୍ଷଣର ଶୁଭାରମ୍ଭ
- Post published:December 15, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
