ଅନୁଗୋଳ: ଜିଲ୍ଲାରେ ନିଶା କାରବାର ବିରୋଧରେ ଅନୁଗୋଳ ପୋଲିସକୁ ବଡ଼ ସଫଳତା ମିଳିଛି। ଛେଣ୍ଡିପଦା ପୋଲିସ ଓ ଜିଲ୍ଲା ସ୍ପେଶାଲ୍ ସ୍କ୍ୱାର୍ଡର ମିଳିତ ଚଢ଼ାଉରେ ବ୍ରାଉନସୁଗାର ଚାଲାଣ କରୁଥିବା ୫ ଜଣଙ୍କୁ ଗିରଫ କରାଯାଇଛି। ଘଟଣାସ୍ଥଳରୁ ୧୧.୫୯୦ ଗ୍ରାମ ବ୍ରାଉନସୁଗାର, ନଗଦ ୧୫,୩୭୦ ଟଙ୍କା, ମୋବାଇଲ୍ ଫୋନ୍ ଏବଂ ଏକ ରୟାଲ ଏନ୍ଫିଲ୍ଡ ବାଇକ୍ ଜବତ ହୋଇଛି।
ଗିରଫ ଅଭିଯୁକ୍ତମାନେ ହେଲେ ପାପୁନ୍ ସାହୁ (କୋଶଳା), ସନ୍ଦୀପ ପ୍ରଧାନ (କଂଶନାଳି), ଦୀପକ ପ୍ରଧାନ, କାଜଲ ପରୱିନ୍ ଓ କୁରେଶା ବିବି (ଅନୁଗୋଳ)। ଏମାନଙ୍କ ମଧ୍ୟରୁ କାଜଲ ଓ କୁରେଶା ଡ୍ରଗ୍ସ ଯୋଗାଣକାରୀ ଭାବେ କାର୍ଯ୍ୟ କରୁଥିଲେ। ଇନ୍ସପେକ୍ଟର ଡି.ଏମ୍. ବିଶ୍ଵାଳଙ୍କ ନେତୃତ୍ୱରେ ହୋଇଥିବା ଏହି ଚଢ଼ାଉରେ ଛେଣ୍ଡିପଦା ଥାନାର ଏସ୍.ଆଇ. ଜଗଦୀଶ ଜେନା ମାମଲାର ତଦନ୍ତ କରୁଛନ୍ତି। ପୋଲିସର ଏଭଳି କଠୋର ଆଭିମୁଖ୍ୟ ଯୋଗୁଁ ଅଞ୍ଚଳର ଡ୍ରଗ୍ସ ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି।











