ବଅଁରପାଳ ବ୍ଲକରେ ମେରୁ ମହୋତ୍ସବ ପାଳିତ, ୧୩ ଦିନ ପରେ ବ୍ରତ ଉଦଯାପନ କଲେ ଉପାସକ

You are currently viewing ବଅଁରପାଳ ବ୍ଲକରେ ମେରୁ ମହୋତ୍ସବ ପାଳିତ, ୧୩ ଦିନ ପରେ ବ୍ରତ ଉଦଯାପନ କଲେ ଉପାସକ

ଅନୁଗୁଳ: ଓଡ଼ିଆ କଳା ସଂସ୍କୃତି ଓ ପରମ୍ପରାର ଅନନ୍ୟ ଦଣ୍ଡଯାତ୍ରା ଉତ୍ସବର ଉଦଯାପନୀ ସମାରୋହ ମେରୁ ଯାତ୍ରା ପାଳିତ ହୋଇଛି। ବଅଁରପାଳ ବ୍ଲକ ବଳରାମ ପ୍ରସାଦ   କେନ୍ଦୁପାଟଣାରେ ରବିବାର ମେରୁ ମହୋତ୍ସବ ଧୁମଧାମରେ ପାଳିତ ହୋଇଛି। ୧୩ ଦିନ ଧରି ମେରୁଦଣ୍ଡ ବ୍ରତଧାରୀ ଘରୁ ବାହାରି ବିଭିନ୍ନ ଗ୍ରାମ ଭ୍ରମଣ କରି କାଷ୍ଠାର ସହ ବ୍ରତ ପାଳନ କରିଥିଲେ। ଅଧିଷ୍ଠାତ୍ରୀ ଦେବୀ ଦକ୍ଷିଣକାଳୀଙ୍କ ଆଲମ, ପ୍ରଭାକୁ ପତିଆରୀ ଧରି  ଉପାସକଙ୍କ ସହ ବ୍ରତ ପାଳିଥିଲେ। ୧୩ ଦିନ ପରେ ଆଜି ବ୍ରତ ଉଦଯାପିତ ହୋଇଛି।

ଏ ଅବସରରେ ମା’ଙ୍କ ସ୍ଥାୟୀ ମନ୍ଦିରରେ ପୂର୍ବାହ୍ନରେ ଧୂଳି ଦଣ୍ଡ ହୋଇଥିଲା।ଅପରାହ୍ନରେ ଛତି ତରାଷ୍, ଆଲଟ ଚାମର, ଢୋଲବାଦ୍ୟ, ପାରମ୍ପରିକ ଲଉଡ଼ି ଖେଳ, ଶଙ୍ଖୁଆ, ଘଣ୍ଟୁଆଙ୍କ ମହାସମାରୋହରେ ବିରାଟ ପଟୁଆରରେ ବ୍ରତଧାରୀ ଗ୍ରାମ ପରିକ୍ରମା କରିଥିଲେ। ପୂଜକ ବିଜି ବେହେରା, ପତିଆରୀ ଦୁଷ୍ମନ୍ତ ଦଳେଇ ମନ୍ଦିର ମାଜଣା ନୀତି କର୍ମ କରିଥିଲେ। ପରେ ହୋମ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ହାଂଦୁଳା ପୂଜାରେ ପତିଆରୀଙ୍କ ଠାରେ କାଳଶୀ ଅବତାର ହୋଇଥିଲେ। ପରେ ରାତ୍ରିରେ  ବ୍ରତଧାରୀଙ୍କ ଦ୍ଵାରା ପାରମ୍ପରିକ ଦଣ୍ଡ ନୃତ୍ୟ ପରିବେଷଣ ହୋଇଥିଲା। ସୋମବାର ଓ ମଙ୍ଗଳବାର ସନ୍ଧ୍ୟାରେ ଦୁଇଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହେବ।

ଅନ୍ୟମାନଙ୍କ ମଧ୍ୟରେ କମିଟି ସଭାପତି ସୁରେଶ ଚନ୍ଦ୍ର ସାହୁ, କମିଟି ସମ୍ପାଦକ ଗୋବିନ୍ଦ ସାହୁ, ଉପସଭାପତି ପ୍ରତାପ ସାହୁ, କୋଷାଧ୍ୟକ୍ଷ ଅଜୟ ନାୟକ, ସନ୍ତୋଷ ମହାପାତ୍ର, ସଂଜୟ ମହାପାତ୍ର, ବିଶ୍ଵଜିତ ସାହୁ, ରସାନନ୍ଦ ନାୟକ ପ୍ରମୁଖ ସହଯୋଗ କରିଥିଲେ। ଅନ୍ୟପଟେ ଗିରାଙ୍ଗ, କୁଲାଡ଼, କାଣ୍ଡସର, ତୁରଙ୍ଗ, କୁରୁଡ଼ୋଲ ପ୍ରଭୃତି ଆଖ ପାଖ ଗାଁରେ ମଧ୍ୟ ମେରୁ ଯାତ୍ରା ପାଳିତ ହୋଇଥିବା ଜଣାଯାଇଛି।

Share

Leave a Reply