ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ମନ୍ଦିର ପରିଚାଳନା ସମିତି ପକ୍ଷରୁ ପବିତ୍ର ବାହୁଡ଼ା ଯାତ୍ରା ଅତ୍ୟନ୍ତ ଶ୍ରଦ୍ଧା, ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଯାଇଛି। ପାରମ୍ପରିକ ରୀତିନୀତି ଅନୁଯାୟୀ, ଗୁଣ୍ଡିଚା ଘର ସଦୃଶ କ୍ୟାମ୍ପସ ସ୍ଥିତ କେଦାରେଶ୍ୱର ମନ୍ଦିରଠାରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ପବିତ୍ର ପହଣ୍ଡି ବିଜେ ନୀତି ଅତ୍ୟନ୍ତ ଭକ୍ତିପୂର୍ଣ୍ଣ ମାହୋଲରେ ଆୟୋଜିତ ହୋଇଥିଲା। ଏହାପରେ ଅପରାହ୍ନ ୩ଟାରେ କୁଳପତି ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ ରଥ ଉପରେ ପବିତ୍ର ‘ଛେରାପହଁରା’ ନୀତି ସମ୍ପନ୍ନ କରିଥିଲେ। ଛେରାପହଁରା ନୀତି ହେବା ପରେ, ଅପରାହ୍ନ ୩:୩୦ ମିନିଟ୍ରେ ଜୟ ଜଗନ୍ନାଥ ଧ୍ୱନି, ହରିବୋଲ, ହୁଳହୁଳି, ଘଣ୍ଟ ଓ ଶଙ୍ଖ ନାଦ ମଧ୍ୟରେ ମହାପ୍ରଭୁଙ୍କ ରଥଟଣା ଆରମ୍ଭ ହୋଇଥିଲା। ଶ୍ରଦ୍ଧାଳୁମାନେ ଅତ୍ୟନ୍ତ ଉତ୍ସାହର ସହ ରଥ ଟାଣି କେଦାରେଶ୍ୱର ମନ୍ଦିରରୁ ରଥକୁ ବିଶ୍ୱବିଦ୍ୟାଳୟ ପରିସରସ୍ଥ ମୁଖ୍ୟ ଶ୍ରୀଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ନେଇଆସିଥିଲେ।
ଏହି ଅବସରରେ ବିଶ୍ୱବିଦ୍ୟାଳୟ ପି.ଜି. କାଉନସିଲ୍ ଅଧ୍ୟକ୍ଷ ପ୍ରଫେସର ଜଗ୍ନେଶ୍ୱର ଦଣ୍ଡପାଟ ଏବଂ କୁଳସଚିବ ଡଃ ସ୍ୱାତୀ ମିଶ୍ର ଉପସ୍ଥିତ ଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟର ଏକତା ଓ ସାଂସ୍କୃତିକ ପରମ୍ପରାକୁ ପ୍ରଦର୍ଶିତ କରି ବହୁ ସଂଖ୍ୟକ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା, ଅଧିକାରୀ, କର୍ମଚାରୀ ଏବଂ ସ୍ଥାନୀୟ ଶ୍ରଦ୍ଧାଳୁମାନେ ରଥଟଣାରେ ଅଂଶଗ୍ରହଣ କରି ପ୍ରଭୁଙ୍କ କୃପା ଲାଭ କରିଥିଲେ।
ଏହି ପବିତ୍ର ଅବସରରେ ବିଶ୍ୱବିଦ୍ୟାଳୟ ମନ୍ଦିର କମିଟି ପକ୍ଷରୁ ସମସ୍ତ ଭକ୍ତ ଓ ବିଶ୍ୱବିଦ୍ୟାଳୟ ସଦସ୍ୟଙ୍କ ପାଇଁ ସ୍ୱତନ୍ତ୍ର ପ୍ରସାଦ ସେବନ ବ୍ୟବସ୍ଥା ସହ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା, ଯାହା ସମ୍ପୂର୍ଣ୍ଣ କ୍ୟାମ୍ପସକୁ ଆଧ୍ୟାତ୍ମିକ ଓ ଉତ୍ସବମୁଖର କରିଥିଲା।











