ଅନୁଗୋଳ: ତାଳଚେର ପବିତ୍ର ମୋହନ ପ୍ରଧାନ ସରକାରୀ ଚିକିତ୍ସାଳୟରେ ଷ୍ଟାଫ୍ ନର୍ସ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ଅଭିଯୋଗ ଆଣି ଆଜି ଅନୁଗୋଳ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଏକ ବିଶାଳ ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି।
ଜିଲ୍ଲା ବିଜେଡି ସଭାପତି ତଥା ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ନେତୃତ୍ୱରେ ହୋଇଥିବା ଏହି ଆନ୍ଦୋଳନରେ ପୂର୍ବତନ ଉପବାଚସ୍ପତି ରଜନୀକାନ୍ତ ସିଂହ, ପୂର୍ବତନ ବିଧାୟକ ମୁକେଶ ପାଲ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ତଥା ଜିଲ୍ଲା ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ବବିତା ପ୍ରଧାନ, ରାଜ୍ୟ ସମ୍ପାଦକ ବିପ୍ଲବ ଜେନା, କଣିହାଁ ବ୍ଲକ ଅଧ୍ୟକ୍ଷ ରାମକୃଷ୍ଣ ପ୍ରଧାନ, ଅନୁଗୁଳ ପୌରପରିଷଦ ଅଧ୍ୟକ୍ଷ ଅକ୍ଷୟ କୁମାର ସାମନ୍ତଙ୍କ ସମେତ ବହୁ ଜନପ୍ରତିନିଧି, ଦଳୀୟ ପଦାଧିକାରୀ ଓ କର୍ମୀ ସାମିଲ ହୋଇଥିଲେ। ନିଯୁକ୍ତି ପ୍ରକ୍ରିୟାରେ ହୋଇଥିବା କଥିତ ଦୁର୍ନୀତିର ପର୍ଦ୍ଦାଫାଶ କରିବା ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ବିଜେଡି ଦାବି କରିଛି। ଦଳ ଅଭିଯୋଗ କରିଛି ଯେ, ଯୋଗ୍ୟ ପ୍ରାର୍ଥୀଙ୍କୁ ବଞ୍ଚିତ କରି ନିୟମ ଉଲ୍ଲଂଘନ କରାଯାଇଛି।
ବିକ୍ଷୋଭ ଶୋଭାଯାତ୍ରା ପରେ ପ୍ରତିନିଧିମଣ୍ଡଳୀ ଜିଲ୍ଲାପାଳଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ସ୍ମାରକପତ୍ରରେ ଘଟଣାର ନିରପେକ୍ଷ ତଦନ୍ତ, ଦୁର୍ନୀତିର ପୂର୍ଣ୍ଣ ଖୁଲାସା ଏବଂ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି।











