ଅନୁଗୁଳ: କଦମ ପଡ଼ିଆରେ ପାଞ୍ଚ ହଜାରରୁ ଅଧିକ ଦର୍ଶକଙ୍କ କରତାଳି,ଆତସବାଜି ଓ ହ୍ୟୁମାନ ସାଗରଙ୍କ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଅନୁଗୁଳ କପ କ୍ରିକେଟ ଉଦଯାପିତ ହୋଇଯାଇଛି। ଟସ ଜିତି ପ୍ରଥମେ ଅନୁଗୁଳ ଏକାଦଶ ୨୦ଓ ଭରରେ ୪ ୱିକେଟ୍ ହରାଇ ମୋଟ ୧୩୫ ରନ୍ ସଂଗ୍ରହ କରିଥିଲେ। ୟୁନିଅନ ସ୍ପୋର୍ଟିଂ କଟକ ୧୭ ଓଭରରେ ମାତ୍ର ତିନି ଉଇକେଟ ହରାଇ ୧୩୯ ରନ୍ କରି ବିଜୟୀ ହୋଇଥିଲେ।
ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୁଳ ଭଳି ଏକ ଶିଳ୍ପ ସମୃଦ୍ଧ ଜିଲ୍ଲାରେ ଷ୍ଟାଡିୟମଟେ ନ ଥିବା ନେଇ କ୍ଷୋଭ ପ୍ରକାଶ କରିଥିଲେ। କଦମ ପଡ଼ିଆକୁ ଏକ ସ୍ପନ୍ଦନ ବୋଲି ଆଖ୍ୟା ଦେଇ ଏଠାରେ ରଞ୍ଜି ଟ୍ରଫି ଖେଳ କରିବା ପାଇଁ କ୍ଲବ ହାଉସ ସମେତ ଅନ୍ୟାନ୍ୟ ଭିତ୍ତିଭୂମି ତିଆରି କରାଯିବ ବୋଲି କହିଥିଲେ। ଏହାଛଡା ଜିଲ୍ଲାରେ ଏକ ଅତ୍ୟାଧୁନିକ କ୍ରିକେଟ ଷ୍ଟାଡିୟମ ନିର୍ମାଣ ପାଇଁ ଯୋଜନା ଚାଲିଛି ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ। ଏହି ଷ୍ଟାଡିୟମରେ ଆଇପିଏଲ ଭଳି ଖେଳ ଆୟୋଜନ କରାଯିବ ବୋଲି ସେ କହିଥିଲେ। ସମ୍ମାନୀତ ଅତିଥି ଭାବେ ପଦ୍ମଶ୍ରୀ ତଥା ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ତାରକା ଖେଳାଳି ଗୌତମ ଗମ୍ଭୀର,ପୂର୍ବତନ ରାଜ୍ୟ ସଭା ସାଂସଦ ରୁଦ୍ର ପାଣି,ଓସିଏ ସଂପାଦକ ସଞ୍ଜୟ ବେହେରା ଓ ଉପ ସଭାପତି ପଙ୍କଜ ଲୋଚନ ମହାନ୍ତି ପ୍ରମୁଖ ଯୋଗ ଦେଇ ଅନୁଗୁଳ କ୍ରିକେଟ ସଂଘର ବିଭିନ୍ନ କାର୍ଯ୍ୟକ୍ରମକୁ ପ୍ରଶଂସ କରିଥିଲେ। ସଂଘ ସଭାପତି ପ୍ରତାପ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ସମ୍ପାଦକ ସାଗର ମିଶ୍ର ଉପ ସଭାପତି ପ୍ରଭାତ ସିହ୍ନା,ଯୁଗ୍ମ ସମ୍ପାଦକ ଗଙ୍ଗାଧର ପଟନାୟକ,ସତ୍ୟେନ୍ଦ୍ର ପ୍ରଧାନ ରଞ୍ଜନ ଧୀର ସାମନ୍ତ,ମାୟାଧର ମିଶ୍ର,ଶିବ ପ୍ରସାଦ ରାଉତ ଓ ଅନ୍ୟ କର୍ମକର୍ତା ମାନେ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ।ମୁଖ୍ୟ ଅତିଥି ଜିଲ୍ଲାର ୪୦ ଗୋଟି କ୍ରିକେଟ ଦଳ ଓ ସବଡିଭିଜନ କ୍ରିକେଟ ସଂଘକୁ କ୍ରିକେଟ କିଟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଶେଷରେ ଚମ୍ପିୟାନ ଦଳକୁ ଏକ ଲକ୍ଷ ଟଙ୍କା ସହ ବିଜେତା ଟ୍ରଫି ପ୍ରଦାନ କରିଥିଲେ।
ଅନୁଗୁଳ ଦଳକୁ ରନର୍ସ ଅପ ଟ୍ରଫି ଓ ୭୫ ହଜାର ଟଙ୍କା ଚେକ୍ ପ୍ରଦାନ କରାଯାଇଥିଲା।କଟକର ଲୀଳାଧର ପ୍ରଧାନ ମ୍ୟାଚର ଶ୍ରେଷ୍ଠ ଖେଳାଳି ଓ ଅରବିନ୍ଦ ସିଂହଙ୍କୁ ମ୍ୟାନ ଅଫ ଦି ସିରିଜ ପୁରସ୍କାର ମିଳିଥିଲା ।