ଅନୁଗୁଳ: ଭୁବନେଶ୍ବର ଇନଷ୍ଟିଚ୍ୟୁଟ୍ ଅଫ ଇଞ୍ଜିନିୟରିଂ ଭବନ ଠାରେ ଅଷ୍ଟାଦଶ ଏସିଆନ୍ ଆଷ୍ଟ୍ରୋଲଜିକାଲ କନଫରେନସ୍ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଛି। ସଂସ୍ଥାର ଚେୟାରମ୍ୟାନ ପଣ୍ଡିତ ଶ୍ରୀଧର ଆଚାର୍ଯ୍ୟ ଉଦଘାଟନ କରିଥିଲେ। ଭାରତ ବର୍ଷର କୋଣ ଅନୁକୋଣରୁ ଆସାମ, ଗୁଜରାଟ, ବେଙ୍ଗାଲୁର, ବନାରସ, ବିହାର, ନେପାଳ ଓ ଓଡ଼ିଶାର ବିଶିଷ୍ଟ ଜ୍ୟୋତିର୍ବିଦ୍, ତାନ୍ତ୍ରିକ, ବାସ୍ତୁବିଦ୍ ପ୍ରମୁଖ ଯୋଗଦେଇଥିଲେ।
ବିଶିଷ୍ଟ ବୟୋଜ୍ଯେଷ୍ଠ ଜ୍ୟୋତିର୍ବିଦ ସୋମନାଥ ଧଳ ଯୋଗଦେଇ ଭାରତ ଭବିଷ୍ୟତ ଉପରେ କହିଥିଲେ। ପଣ୍ଡିତ ଶ୍ରୀଧର ଆଚାର୍ଯ୍ୟ ଓ ମହେନ୍ଦ୍ର ନାଥ ଶ୍ରୀ ଧଳଙ୍କୁ ଜ୍ୟୋତିଷ ସିଦ୍ଧାନ୍ତ ଶିରୋମଣି ଉପାଧି ପ୍ରଦାନ କରିବା ସହ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରିଥିଲେ। ପ୍ରକାଶ ଯେ ଶ୍ରୀ ଧଳଙ୍କ ଜନ୍ମ ସ୍ଥାନ କଟକ ନରସିଂହପୁର ହୋଇଥିବା ବେଳେ ସେ ଅନୁଗୁଳ ଜିଲ୍ଲାରେ ଦୀର୍ଘ ଦିନ ଶିକ୍ଷକତା କରି ଅବସର ଗ୍ରହଣ କରିବା ପରେ ବର୍ତ୍ତମାନ ବଅଁରପାଳ ବ୍ଲକ ଗୋତମରା ଠାରେ ବାସ ଗୃହ କରି ରହୁଛନ୍ତି।