ଅନୁଗୁଳ: ଭଉଣୀକୁ ଟାଙ୍ଗିଆରେ ହାନି ହତ୍ୟା କଲା ଭାଇ। ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା ସୋଲଣ୍ଡା ଗ୍ରାମରେ ସୋମବାର ଏଭଳି ଅଭାବନୀୟ ଘଟଣା ଘଟିଛି। ଅପରାହ୍ନ ୨ ଟାରେ ଭାଇ ଗୟାଧର ପ୍ରଧାନ ଏକ ଟାଙ୍ଗିଆରେ ଭଉଣୀ କଳ୍ପନା ସାହୁ (୪୫ )ଙ୍କୁ ହାଣି ହତ୍ଯା କରିଛନ୍ତି। ପରେ ଗୟାଧର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଖବର ପାଇ ହଣ୍ଡପା ପୋଲିସ ଘଟଣାସ୍ଥଳରେ ପହଞ୍ଚି କଳ୍ପନାଙ୍କ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ହଣ୍ଡପା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛି।
ପୋଲିସ କହିଛି, କଳ୍ପନା ପାପସରା ଗ୍ରାମରେ ବିବାହ କରିଥିଲେ। ତାଙ୍କର ୨ ଟି ସନ୍ତାନ ଥିବା ବେଳେ ସ୍ଵାମୀଙ୍କ ମୃତ୍ୟୁ ଘଟିଛି। ଏଣୁ କଳ୍ପନା କିଛି ମାସ ହେବ ବାପାଘର ଜିଏଚଆର ସୋଲଣ୍ଡା ଗ୍ରାମରେ ରହୁଛନ୍ତି। ସେ ବାପାଙ୍କର ଜମିରେ ଘର ବନାଇବା ପାଇଁ ଯୋଜନା କରୁଥିଲେ। ଏଣୁ ଗୟାଧରଙ୍କ ସହ ବିବାଦ ଦେଖା ଦେଇଥିଲା। ସୋମବାର ଦିନ କଳ୍ପନା ଘରେ ଥିବା ବେଳେ ଗୟାଧର ମଦ୍ୟପାନ କରି ଘରକୁ ଆସିଥିଲେ। ଘର ତିଆରିକୁ ନେଇ ଭାଇ ଭଉଣୀଙ୍କ ମଧ୍ୟରେ ଗଣ୍ଡଗୋଳ ଦେଖା ଦେଇଥିଲା। ଏଥିରେ ଗୟାଧର ଉତକ୍ଷିପ୍ତ ହୋଇ ଘରେ ରଖିଥିବା ଟାଙ୍ଗିଆରେ କଳ୍ପନାଙ୍କ ବେକକୁ ଚୋଟେ ପକାଇଥିଲେ। ଫଳରେ କଳ୍ପନାଙ୍କ ମୃତ୍ୟୁ ଘଟିଛି। ପୋଲିସ ଘଟଣାର ତଦନ୍ତ କରୁଛି।


