ଅନୁଗୁଳ: ଅନୁଗୁଳ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୃଷି ପ୍ରଧାନ ବନ୍ତଳା ଅଞ୍ଚଳ ପାଇଁ ଖୁସି ଖବର। ଦୀର୍ଘ ୫୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ସ୍ଥାନୀୟ ଜନସାଧାରଣ ଦାବି କରିଆସୁଥିବା ବହୁ ପ୍ରତୀକ୍ଷିତ ‘ହିଡିସିଙ୍ଗ ଜଳପ୍ରକଳ୍ପ’ କୁ ଶେଷରେ ଭାରତ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଗ୍ରୀନ୍ ସିଗନାଲ୍ ମିଳିଛି।
ଏହି ଅନୁମୋଦନ ଫଳରେ ଅଞ୍ଚଳର ଚାଷୀକୁଳଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳିଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଢେଙ୍କାନାଳ ସାଂସଦ ଶ୍ରୀଯୁକ୍ତ ରୁଦ୍ର ନାରାୟଣ ପାଣିଙ୍କୁ ଗଭୀର କୃତଜ୍ଞତା ଓ ଧନ୍ୟବାଦ ଜ୍ଞାପନ କରିଛନ୍ତି ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ।
ଏହି ଜଳପ୍ରକଳ୍ପ କାର୍ଯ୍ୟକାରୀ ହେବା ଦ୍ୱାରା ବନ୍ତଳା ଓ ଏହାର ଆଖପାଖ ଅଞ୍ଚଳର ହଜାର ହଜାର ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ମିଳିବ। ଏହାସହ ଅଞ୍ଚଳରେ ଦେଖାଦେଉଥିବା ପାନୀୟ ଜଳ ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ବିଧାୟକ। ତେବେ ଖୁବଶୀଘ୍ର ଏହି ପ୍ରକଳ୍ପ ପାଇଁ ଆବଶ୍ୟକୀୟ ଅର୍ଥ ବ୍ୟୟବରାଦ କରାଯାଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ ପ୍ରାଶାସନିକ ସ୍ତରରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି ଅନୁଗୁଳ ବିଧାୟକ।


