ମହାନଦୀରେ ବନ୍ୟା : ଅନୁଗୁଳର ଅନେକ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ, ପାଣି ଘେରରେ ଜୀବନ

0

ଅନୁଗୁଳ: ଫୁଲୁଛି ମହାନଦୀ। ଆଠମଲ୍ଲିକ ଓ ଟିକରପଡ଼ାରେ ଜଳସ୍ତର ବିପଦ ସଙ୍କେତ ଟପିଯାଇଛି। ଏହା ପ୍ରଭାବରେ ଏବେ ହଜାର ହଜାର ଲୋକ ଜଳବନ୍ଦୀ ଅଛନ୍ତି। ଅନୁଗୁଳ ବ୍ଲକ୍‌ ଟିକରପଡ଼ା ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଥିବା ବେଳେ ଆଠମଲ୍ଲିକ ବ୍ଲକ୍‌ର କୁଦଗାଁ ପାଣି ଘେରରେ ରହିଛି। ଏଣୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଟିକରପଡ଼ା ପର୍ଯ୍ୟଟନ କେନ୍ଦ୍ର ଓ ବିନିକେୟୀ ପୀଠ ମଧ୍ୟ ବନ୍ୟା ଯୋଗୁ ପ୍ରଭାବିତ ହୋଇଛି।

ଅନ୍ୟପଟେ ସପ୍ତାହେ ହେଲାଣି ଲଗାଣ ବର୍ଷା ସହ ହୀରାକୁଦ ଡ୍ୟାମ୍‌ରୁ ୩୪ଟି ଫାଟକ ଦେଇ ବନ୍ୟା ଜଳ ନିଷ୍କାସନ ପରେ ମହାନଦୀରେ ବନ୍ୟା ଆସିଛି। ଏହି ବନ୍ୟାରେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍‌ର ବହୁ ଗାଁ ଓ ଅନୁଗୁଳ ବ୍ଲକ୍‌ର ଟିକରପଡ଼ା ଅଞ୍ଚଳ ପ୍ରଭାବିତ ହୋଇଛି। ଟିକରପଡ଼ା ପଞ୍ଚାୟତ ବାହ୍ୟଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି। ଅନୁଗୁଳ-ଟିକରପଡ଼ା ମୁଖ୍ୟ ରାସ୍ତାରେ ୩ ଫୁଟ ପାଣି ଚାଲୁଛି।ଟିକରପଡ଼ାର ପର୍ଯ୍ୟଟନ କେନ୍ଦ୍ର ପାଣି ଘେରରେ ରହିଛି। ଅନ୍ୟପଟେ ମଝିପଡ଼ା, ଗଇଁଦି ଓ ବେହେରାସାହିକୁ ମଧ୍ୟ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଏହି ୩ ଗାଁକୁ ଥିବା ମୁଖ୍ୟ ରାସ୍ତାରେ ପାଖାପାଖି ୫ ଫୁଟ ପାଣି ଚାଲୁଛି। ତେଣୁ ଏଠାକୁ ଯିବାଆସିବା ଠପ୍‌ ହୋଇଯାଇଛି। ତଳିଆ ଅଞ୍ଚଳରେ ଥିବା ଶତାଧିକ ପରିବାରକୁ ସ୍ଥାନାନ୍ତର କରି ସୁରକ୍ଷିତ ସ୍ଥାନରେ ରଖାଯାଇଛି। ସେମାନଙ୍କୁ ରନ୍ଧାଖାଦ୍ୟ ପ୍ରଦାନ କରାଯାଉଛି। ଆଜି ଡଙ୍ଗାରେ ଆଠମଲ୍ଲିକ ବିଧାୟକ ରମେଶ ସାଏ ଓ ଅନୁଗୁଳ ଉପଜିଲ୍ଲାପାଳ ବଇତୁରା ଦୀପ ଟିକରପଡ଼ା ପଞ୍ଚାୟତର ବିଭିନ୍ନ ଗାଁକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଲୋକଙ୍କ ପାଖରେ ଖାଦ୍ୟ ସାମଗ୍ରୀ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବାକୁ ଗୁରୁତ୍ବ ଦିଆଯାଉଛି।

Leave A Reply

Your email address will not be published.

error: Content is protected !!