ଅନୁଗୁଳ: ଅନୁଗୁଳରେ ଗାନ୍ଧୀ ସ୍ମୃତି ଭବନ ନିର୍ମାଣ ଦାବୀରେ ସମାଜସେବୀ କ୍ରିଷ୍ଣା ମାହାନ୍ତି ଗାନ୍ଧୀ ଜୟନ୍ତୀ ଠାରୁ ଧାରଣାରେ ବସିଥିଲେ । ଜିଲ୍ଲା ସଂସ୍କୃତି ପରିଷଦର ସଭ୍ୟ ଓ ସଭ୍ୟାମାନଂକର ଉପସ୍ଥିତିରେ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା କାର୍ଯ୍ୟାଳୟ କୋର୍ଟ ରୁମ୍ ଠାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇ ଗାନ୍ଧୀ ସ୍ମୃତି ଭବନ ନିର୍ମାଣ ସମ୍ପର୍କରେ ଆଲୋଚନା ହୋଇଥିଲା । ସଭ୍ୟ ସଭ୍ୟମାନଂକ ଅନୁରୋଧ କ୍ରମେ କ୍ରିଷ୍ଣା ମାହାନ୍ତି ଏହି ବୈଠକରେ ଯୋଗ ଦେଇଥିଲେ । ଏହି ବୈଠକରେ କ୍ରିଷ୍ଣା ମାହାନ୍ତିଙ୍କ ଦାବୀକୁ ସମ୍ମାନ ଜଣାଇ ଗାନ୍ଧୀ ମାର୍ଗରେ ଜିଲ୍ଲା ପ୍ରଶାସନ ତରଫରୁ ଉପଯୁକ୍ତ ଗାଡି ପାର୍କିଂ ବ୍ୟବସ୍ଥା, ପାଠାଗାର, ସଂଗ୍ରହାଳୟ ଓ ଉଦ୍ୟାନ ପାଇଁ ଆବଶ୍ୟକ ଯାଗା ଥିବା ସ୍ଥାନରେ ଗାନ୍ଧୀ ସ୍ମୃତି ଭବନ ନିର୍ମାଣ କରାଯିବ । ଗାନ୍ଧୀ ମାର୍ଗରେ ଗାନ୍ଧୀ ସ୍ମୃତି ଭବନ ନିର୍ମାଣ ନିମନ୍ତେ ଅନୁଗୋଳ ଉପଜିଲ୍ଲାପାଳ ଶ୍ରୀ ବାସୁଦେବ ଶତପଥୁଙ୍କ ଅଧ୍ୟକ୍ଷତାରେ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସମ୍ପାଦକ ଶ୍ରୀ ହେମନ୍ତ କୁମାର ଦାସ,ତହସିଲଦାର ଶ୍ରୀ ବିମଳ କୁମାର ଲେଙ୍କା, କଳାକାରର ସଭାପତି ଶ୍ରୀ ଭୂପେଶ ଚନ୍ଦ୍ର ପ୍ରଧାନ, ଜିଲ୍ଲା ସାହିତ୍ୟ ସଂସଦର ସମ୍ପାଦକ ଶ୍ରୀ ରାଧାକାନ୍ତ ମାହାନ୍ତି ଓ ଶ୍ରୀ ସୂର୍ଯ୍ୟନାରାୟଣ ନାଥଙ୍କୁ ନେଇ ଏକ ୬ ଜଣିଆ କମିଟି ଗଠନ କରାଯାଇଛି । ଗାନ୍ଧୀ ମାର୍ଗରେ ନିର୍ମାଣ ହେଉଥିବା ଅଙ୍ଗନୱାଡି କେନ୍ଦ୍ରର ସ୍ଥାନ ଦୁର୍ଘଟଣା ପ୍ରବଣ ହୋଇଥିବାରୁ ଏହାକୁ ଅନୁଧ୍ୟାନ କରି ବନ୍ଦ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ଗାନ୍ଧୀ ମାର୍ଗରେ ଗାନ୍ଧୀ ସ୍ମୃତି ଭବନ ନିର୍ମାଣ ପାଇଁ ଉପଯୁକ୍ତ ଜାଗା ଉପଲବଧ ନ ହେଲେ ବିକଳ୍ପ ଭାବେ ରାଣୀଗୁଡା ଅଂଚଳରେ ଜାଗା ଚୟନ କରିବା ନିମନ୍ତେ ବୈଠଳରେ ସ୍ଥିର କରାଗଲା । ଗାନ୍ଧୀ ସ୍ମୃତି ଭବନର ରକ୍ଷଣାବେକ୍ଷଣ ଓ ପରିଚାଳନା ଜିଲ୍ଲା ସଂସ୍କୃତି ପରିଷଦ ଅଧିନରେ ରଖିବାକୁ ସ୍ଥିର କରାଗଲା । ଏହାଛଡା ବୈଠକରେ ଅନୁଗୋଳ ସ୍ବୟଂ ଶାସିତ ମହାବିଦ୍ୟାଳୟ ସମ୍ମୁଖରେ ଥିବା କବି ରାଧାମୋହନ ଗଡନାୟକଂକ ପ୍ରତିମୂର୍ତ୍ତୀ ସାମ୍ନାରେ ପ୍ରଦର୍ଶିତ ହୋଇଥୁବା ହୋର୍ଡିଂଗୁଡିକୁ ହଟାଇବାକୁ ସଭ୍ୟ ସଭ୍ୟମାନେ ଜିଲ୍ଲାପାଳଂକ ଦୃଷ୍ଟି ଆକର୍ଷଣ କରିଥିଲେ । ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତପନ କୁମାର ଶତପଥ୍ ଉପସ୍ଥିତ ସଭ୍ୟ ସଭ୍ୟମାନଂକୁ ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଶେଷରେ ଜିଲ୍ଲାପାଳଙ୍କ ଅନୁରୋଧ କ୍ରମେ କ୍ରିଷ୍ଣା ମାହାନ୍ତି ଧାରଣା ପ୍ରତ୍ୟାହୃତ କରିଥିଲେ । ଏହି ବୈଠକରେ ଅନ୍ୟମାନଂକ ମଧ୍ୟରେ ଜିଲ୍ଲା ସଂସ୍କୃତି ଅଧିକାରିଣୀ ଶ୍ରୀମତୀ ସରିତା ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ଦୁଃଖବନ୍ଧୁ ମାଝି, ସାଂସ୍କୃତିକ ସଂଯୋଜିକା ଡ. ଇନ୍ଦିରା ଦାଶ, ପ୍ରାକ୍ତନଅଧ୍ୟକ୍ଷ ଶ୍ରୀ ଶାନ୍ତନୁ କୁମାର ସର, ବରିଷ୍ଠ ଆଇନ୍ଜିବୀ ଶ୍ରୀ ଭବାନୀ ଶଂକର ମିଶ୍ର, ଅଧିସ୍ବୀକୃତ ସାମ୍ବାଦିକ ଶ୍ରୀ ସଂଗ୍ରାମ ରଂଜନ ଦାସ,ଜିଲ୍ଲା ଗ୍ରନ୍ଥାଗାରିକ ଶ୍ରୀ ଲକ୍ଷ୍ମୀ ପ୍ରସାଦ ଦ୍ବିବେଦୀ ପ୍ରମୁଖ ଯୋଗ ଦେଇଥିଲେ ।
ଜିଲ୍ଲାପାଳଙ୍କ ଅନୁରୋଧରେ କ୍ରିଷ୍ଣା ମହାନ୍ତିଙ୍କ ଧାରଣା ପ୍ରତ୍ୟାହୃତ
- Post published:October 4, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik

Tags: Angul