ଅନୁଗୋଳ: ପ୍ରସିଦ୍ଧ ତାଳଚେର ଗଣେଶ ପୂଜାର ୭ମ ସନ୍ଧ୍ୟାରେ ସହରରେ ଅଭୂତପୂର୍ବ ଜନଗହଳି ଦେଖିବାକୁ ମିଳିଛି। ଘୋଡ଼ାଶାଳରୁ ହାଣ୍ଡିଧୂଆଁ ପର୍ଯ୍ୟନ୍ତ ୫ କିମି ରାସ୍ତା ଆକର୍ଷକ ଆଲୋକମାଳାରେ ଝଲସୁଛି। ଶତାଧିକ ମଣ୍ଡପରେ ପୂଜାପାଉଥିବା ଗଜାନନଙ୍କୁ ଦର୍ଶନ କରିଛନ୍ତି ତାଳଚେର ପୌରପରିଷଦ ନଗରପାଳ ପବିତ୍ର ଭୂତିଆ ଏବଂ ବିଜେପି ଜିଲ୍ଲା ସଭାପତି ଯଯାତୀ ପଟ୍ଟନାୟକ।
ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କୁ ଲଡୁ ଓ ରାମଖେଚୁଡ଼ି ଭୋଗ ବଣ୍ଟାଯାଇଛି। ଅନୁକୂଳ ପାଗ ଯୋଗୁଁ ଅନୁଗୋଳ, ଢେଙ୍କାନାଳ, କଟକ, ଖୋର୍ଦ୍ଧା ଓ ସମ୍ବଲପୁରରୁ ପ୍ରବଳ ଭକ୍ତଙ୍କ ଭିଡ଼ ଜମୁଛି। ତାଳଚେର କଲେଜରେ ସାଂସ୍କୃତିକ କାର୍ଯ୍ୟକ୍ରମ ଜାରି ରହିଛି।
ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୋଲିସ ଓ ହୋମଗାର୍ଡ ନିୟୋଜିତ ହୋଇ ଭାରିଯାନ ନିଷିଦ୍ଧ ହୋଇଥିବାବେଳେ ବାଇପାସ ଟ୍ରାଫିକ ଛକରୁ ହାଟତୋଟା ପର୍ଯ୍ୟନ୍ତ ରାସ୍ତାର ଉଭୟପାର୍ଶ୍ୱରେ ଅସ୍ଥାୟୀ ଦୋକାନ ଯାତାୟାତ ବାଧାପ୍ରାପ୍ତ କରୁଛି। ଆଉ ୫ ଦିନ ପରେ ଭସାଣି ଉତ୍ସବ ଥିବାରୁ ଜନସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି।












