ଅନୁଗୋଳ: ଆସନ୍ତା ସେପ୍ଟେମ୍ବର ୨୬ ତାରିଖରେ ଅନୁଗୋଳଠାରେ ଏମଏମଡିଆର ସଂଶୋଧନ ଅଧିନିୟମ-୨୦୨୬ ବିରୁଦ୍ଧରେ ହେବାକୁ ଥିବା ଆଞ୍ଚଳିକ ସମାବେଶକୁ ସଫଳ କରିବା ପାଇଁ ଜିଲ୍ଲା କଂଗ୍ରେସ ଭବନଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ନିୟୋଜିତ କମିଟି ପୂର୍ବତନ ମନ୍ତ୍ରୀ ଅମରନାଥ ପ୍ରଧାନଙ୍କ ନେତୃତ୍ୱରେ ଚାରି ଜିଲ୍ଲାର ସଭାପତି ଓ କର୍ମକର୍ତ୍ତାଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ଜିଲ୍ଲା ସଭାପତି ସୁନୀଲ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶ ସମ୍ପର୍କରେ ଅବଗତ କରାଯିବା ସହ ସମସ୍ତଙ୍କ ମତାମତ ଗ୍ରହଣ କରାଯାଇଥିଲା।
ବୈଠକରେ ବକ୍ତାମାନେ କହିଥିଲେ, ଏମଏମଡିଆର ସଂଶୋଧନ ଅଧିନିୟମ-୨୦୨୬ ଓଡ଼ିଶାର ସ୍ୱାର୍ଥ ବିରୁଦ୍ଧରେ ଏବଂ ରାଜ୍ୟ ରାଜସ୍ୱ କ୍ଷତି ପହଞ୍ଚାଇବ। ଏହାକୁ ଓଡ଼ିଶାବାସୀ ଗ୍ରହଣ କରିବେ ନାହିଁ। ଏଣୁ ଏହା ବିରୁଦ୍ଧରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ।
ବୈଠକରେ ବିଧାୟକ ତଥା ପିସିସି ଉପସଭାପତି କୃଷ୍ଣ ଚନ୍ଦ୍ର ସାଗରିଆ, ଉପସଭାନେତ୍ରୀ ସସ୍ମିତା ବେହେରା, ସାଧାରଣ ସମ୍ପାଦକ ଅଭିଳାଷ ମାଣିଆ, ସତ୍ୟଜିତ ପଟ୍ଟନାୟକ, ଲଲାଟେନ୍ଦୁ ଦାସ, ବିଜୟାନନ୍ଦ ଚାଉଳିଆ, ରୂପାଦୀପ୍ତା ମହାପାତ୍ର, ସମ୍ପାଦକ ଦେବାଶିଷ ମହାପାତ୍ର, ଢେଙ୍କାନାଳ ଜିଲ୍ଲା ସଭାପତି ଛବିରାଜ ବିଶ୍ୱାଳ, ବୌଦ୍ଧ ଜିଲ୍ଲା ସଭାପତି କରିମ ସଲିମ, ପିସିସି ସମ୍ପାଦକ ଜିତେନ୍ଦ୍ର କୁମାର ସାହୁ, ସୁଦୀପ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।












