ଅନୁଗୋଳ: ଅନୁଗୋଳ-ବଅଁରପାଳ ୫୫ ନମ୍ବର ଜାତୀୟ ରାଜପଥର କାଣ୍ଡସର ଜସ୍ମିନୀ ହୋଟେଲ ସମ୍ମୁଖରେ ଏକ ହୃଦୟ ବିଦାରକ ଦୁର୍ଘଟଣା ଘଟିଛି। ଗତରାତିରେ ଟ୍ରକ ଧକ୍କାରେ ୧୦ରୁ ଅଧିକ ଗୋରୁଙ୍କ ମୃତ୍ୟୁ ଘଟିଛି। ମୃତଙ୍କ ମଧ୍ୟରେ ଏକାଧିକ ଗର୍ଭବତୀ ଗାଈ ଥିବା ଜଣାପଡ଼ିଛି। ଗ୍ରାମବାସୀ ଘଟଣା ଦେଖି ନାଲକୋ ପୋଲିସକୁ ଖବର ଦେଇଥିଲେ। ପରେ ଗ୍ରାମବାସୀ, ପୋଲିସ ଓ ଗୋସେବକଙ୍କ ସହଯୋଗରେ ମୃତ ଗୋରୁଗୁଡ଼ିକୁ ସମ୍ମାନର ସହ ପୋତାଯାଇଛି। ଏହି ଘଟଣାକୁ ନେଇ କାଣ୍ଡସର ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଗ୍ରାମବାସୀଙ୍କ ଅଭିଯୋଗ, ନାଲକୋକୁ କୋଇଲା ପରିବହନ କରୁଥିବା ଭାରୀଯାନ ନିର୍ଦ୍ଧାରିତ ସମୟ ପୂର୍ବରୁ ଦ୍ରୁତ ଓ ବେପରୁଆ ଗତିରେ ଚଳାଚଳ କରୁଛି।
ଏଥିଯୋଗୁଁ ବାରମ୍ବାର ଧନଜୀବନ ନଷ୍ଟ ହେଉଛି। ଏହାସହ ଦୁର୍ଘଟଣାସ୍ଥଳରେ ଷ୍ଟ୍ରିଟ୍ଲାଇଟ୍ ଜଳୁନଥିବାରୁ ରାତିରେ ଯାତାୟାତ ବିପଦପୂର୍ଣ୍ଣ ହେଉଛି। ଭାରୀଯାନର ଗତି ନିୟନ୍ତ୍ରଣ, ଷ୍ଟ୍ରିଟ୍ଲାଇଟ୍ ମରାମତି ଓ ଦୁର୍ଘଟଣା ରୋକିବାକୁ ତୁରନ୍ତ ପଦକ୍ଷେପ ନେବାକୁ ଗ୍ରାମବାସୀ ନାଲକୋ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି। ସମସ୍ୟାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।












