ଅନୁଗୋଳ: ଅନୁଗୋଳ ସ୍ଥାନୀୟ ଶାନ୍ତି ଅନୁଭୂତି ଧାମଠାରେ ବ୍ରହ୍ମା କୁମାରୀ ଅନୁଷ୍ଠାନ ପକ୍ଷରୁ ୧୦ କୋଟି ନିଶା ମୁକ୍ତ ପ୍ରତିଜ୍ଞା ସଂଗ୍ରହ ଅଭିଯାନର ଶୁଭାରମ୍ଭ ହୋଇଛି। ମୁଖ୍ୟ ସଂଚାଳିକା ବି.କେ. ମିନତିଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଗାମୀ ଅଗଷ୍ଟ ୬ ରୁ ୨୦ ତାରିଖ ମଧ୍ୟରେ ୩୦ ହଜାରରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ନିକଟରେ ସଚେତନତା ବାର୍ତ୍ତା ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି।
ମାଉଣ୍ଟ ଆବୁରୁ ଆସିଥିବା ବ୍ରହ୍ମା କୁମାର ପଦ୍ମନାଭ ରାଜଯୋଗ ଦ୍ୱାରା ମନ ଶୁଦ୍ଧିକରଣ ଦ୍ୱାରା ନିଶା ମୁକ୍ତି ସମ୍ଭବ ବୋଲି କହିଥିଲେ। ଅବସରପ୍ରାପ୍ତ ବିଚାରପତି ଦୁର୍ଗା ଶଙ୍କର ମିଶ୍ର ନିଜସ୍ୱ ସ୍ତରରେ ନିଶା ବିରୋଧୀ ପ୍ରୟାସ ଜାରି ରଖିବାକୁ ପରାମର୍ଶ ଦେଇଥିଲେ। ମୁଖ୍ୟ ଅତିଥି ଜିଲ୍ଲା ସ୍ଵାସ୍ଥ୍ଯ ଅଧିକାରୀ ଡାକ୍ତର ମଦନ ମୋହନ ପ୍ରଧାନ ଏହି ଆଧ୍ୟାତ୍ମିକ ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପତଞ୍ଜଳୀ ଯୋଗ ଗୁରୁ ଅଭୟ ରାୟ ପ୍ରମୁଖ ଉପସ୍ଥିତ ରହି ସାଧୁବାଦ ଜଣାଇଥିଲେ।











