ଅନୁଗୋଳ: ଅନୁଗୋଳ ଜିଲ୍ଲାର ବହୁଚର୍ଚ୍ଚିତ ପୋକ୍ସୋ ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ଦୌରା ଜଜ୍ (ପୋକ୍ସୋ କୋର୍ଟ) ସୌମ୍ୟା ଶୁଭଦର୍ଶିନୀ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି କଠୋର କାରାଦଣ୍ଡ ଓ ଜରିମାନା ଶୁଣାଇଛନ୍ତି।
କଲିୟରୀ ଥାନା କେସ୍ ନଂ- ୨୭୯/୨୦୨୦ ଏବଂ ସ୍ପେଶାଲ ପୋକ୍ସୋ କେସ୍ ନଂ- ୪୯/୨୦୨୦ ର ବିଚାର କରି କୋର୍ଟ ଅଭିଯୁକ୍ତ ସନ୍ତୋଷ କୁମାର ପ୍ରଧାନଙ୍କୁ ବିଭିନ୍ନ ଦଫାରେ ଏହି ଦଣ୍ଡାଦେଶ ଦେଇଛନ୍ତି। ରାୟ ଅନୁଯାୟୀ, ପୋକ୍ସୋ ଆକ୍ଟର ଦଫା ୮ରେ ୫ ବର୍ଷର ସଶ୍ରମ କାରାଦଣ୍ଡ ସହ ୩୦ ହଜାର ଟଙ୍କା ଜରିମାନା (ଅନାଦେୟ ଅଧିକ ୬ ମାସ ଜେଲ୍), ଆଇ.ପି.ସି. ଦଫା ୫୦ରେ ୨ ବର୍ଷର ସଶ୍ରମ କାରାଦଣ୍ଡ ସହ ୨୦ ହଜାର ଟଙ୍କା ଜରିମାନା (ଅନାଦେୟ ଅଧିକ ୩ ମାସ ଜେଲ୍) ଏବଂ ଆଇ.ଟି. ଆକ୍ଟର ଦଫା ୬୬(E)ରେ ୩ ବର୍ଷର ସଶ୍ରମ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା (ଅନାଦେୟ ଅଧିକ ୬ ମାସ ଜେଲ୍) ନିର୍ଦ୍ଦେଶ ଦିଆଯାଇଛି।
ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଦିଆଯାଇଥିବା ଏହି ତ୍ୱରିତ ରାୟ ଦ୍ୱାରା ପୀଡ଼ିତାଙ୍କୁ ନ୍ୟାୟ ମିଳିଥିବାବେଳେ ଅଞ୍ଚଳରେ ଅପରାଧୀଙ୍କ ମଧ୍ୟରେ କଡ଼ା ସନ୍ଦେଶ ଯାଇଛି। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପି.ପି. ଦିଲ୍ଲୀପ କୁମାର ଦାସ ଓ ଆଇନଜୀବୀ ଅଶୋକ କୁମାର ସାହୁ ମାମଲା ପରିଚାଳନା କରୁଥିଲେ।











