ଭୁବନେଶ୍ୱର : ଏଣିକି ଓଡ଼ିଆରେ ନାମଫଳକ ହେବ ବାଧ୍ୟତାମୂଳକ। ଚଳିତ ମାସରୁ ରାଜ୍ୟର ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ଓଡ଼ିଆରେ ନାମଫଳକ ଲେଖିବା ବାଧ୍ୟତାମୂଳକ ହୋଇଛି। ଏ ନେଇ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ପକ୍ଷରୁ ଏହାର କଡ଼ାକଡ଼ି ନିରୀକ୍ଷଣ କରାଯିବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି।
ଖିଲାପକାରୀଙ୍କ ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନମାନଙ୍କୁ ୭ ଦିନିଆ ନୋଟିସ ଦିଆଯିବ। ଚଳିତ ମାସରୁ ନିୟମ ଅନୁପାଳନ ନ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଜରିମାନା ଆଦାୟ କରାଯିବ। ଆବଶ୍ୟକ ସ୍ଥଳେ ବ୍ୟବସାୟିକ ପ୍ରତିଷ୍ଠାନର ଲାଇସେନ୍ସ ରଦ୍ଦ କରାଯିବ। ପ୍ରଥମ ଥର ଖିଲାପକାରୀଙ୍କୁ ୫ ହଜାର ଟଙ୍କା ଜରିମାନା ଏବଂ ଦ୍ୱିତୀୟ ଥର ଖିଲାପକାରୀଙ୍କୁ ୨୫ ହଜାର ଟଙ୍କା ତଣ୍ଡ ଗଣିବାକୁ ପଡ଼ିବ।
ଜିଲ୍ଲାସ୍ତରରେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଶ୍ରମ ଅଧିକାରୀ, ପୌରାଞ୍ଚଳ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ବଜାର ଏବଂ ବାଣିଜ୍ୟ ସଂଘ ସହ ପ୍ରତିମାସରେ ବୈଠକ ହେବ। ଏହି ନିୟମର କଡ଼ାକଡ଼ି ନିରୀକ୍ଷଣ କରାଯିବ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।