ଅନୁଗୁଳ: ୭୩ ତମ ଅନୁଗୁଳ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଶନିବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ବୈଠକ ଭର୍ଚୁଆଲ ମୋଡରେ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସରକାରଙ୍କ ଦ୍ଵାରା ସ୍ଥିରିକୃତ ମୁଖ୍ୟ ଅତିଥି ସକାଳ ୯ଟା ୧୫ ମିନିଟ୍ ସମୟରେ ଷ୍ଟାଡିୟମଠାରେ ଜାତୀୟ ପତାକା ଉତ୍ତୋଳନ କରି ଉଦ୍ବୋଧନ ଦେବେ। ବିଗତ ବର୍ଷ ଭଳି ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ମହାମାରୀ କୋଭିଡ ନିୟମ ଆଧାରରେ ଅନୁପାଳନ କରାଯିବ। କୋଭିଡର ଦୃତ ସଂକ୍ରମଣ ଯୋଗୁଁ କୌଣସି ଛାତ୍ରଛାତ୍ରୀ, ସାଧାରଣ ଲୋକ ପରେଡ ପଡିଆକୁ ଯିବାକୁ ବାରଣ କରାଯାଇଛି। କେବଳ ବ୍ୟଣ୍ଡ ପାର୍ଟିସହ ଜିଲ୍ଲା ପୁଲିସ ଆନୁଷ୍ଠାନିକ ଜାତୀୟ ପତାକା ଓ ମୁଖ୍ୟ ଅତିଥିଙ୍କୁ ଅଭିବାଦନ ଜଣାଇବେ। ଏହି ଅବସରରେ କୋଭିଡ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯିବା ପାଇଁ ବୈଠକରେ ସ୍ଥିର କରାଯାଇଛି। ପରେଡ ପଡିଆ ମଧ୍ୟକୁ ପ୍ରବେଶ ପୂର୍ବରୁ ସମସ୍ତେ ମାସ୍କ ପରିଧାନ କରିବା ସହ ହାତ ସାନିଟାଇଜ୍ କରିବାକୁ ଅତିରିକ୍ତ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଭୋର ୪ ଟା ୩୦ମିନିଟରେ ରାମଧୂନ, ପରେ ବରପୁତ୍ରଙ୍କ ପ୍ରତିମୁର୍ତ୍ତିରେ ମାଲ୍ୟାର୍ପଣ କରାଯିବ। ଚଳିତ ମାସ ୨୩ ଓ ୨୪ ତାରିଖ ୨ ଦିନ ଧରି ପରେଡ ପଡିଆରେ ପରେଡ ଅଭ୍ୟାସ ଅନୁଷ୍ଠିତ ହେବ। ପୂର୍ବ ବର୍ଷ ଭଳି ପରେଡ ପଡିଆରେ ବାରିକେଡ,୨ଟି ତୋରଣ, ଆବଶ୍ୟକ ଚୌକି ଓ ସମିୟାନା ବ୍ୟବସ୍ଥା କରିବାକୁ ପୂର୍ତ୍ତ ବିଭାଗକୁ ଦାୟିତ୍ବ ଦିଆଯାଇଛି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରସନ୍ନ କୁମାର ବିଶ୍ୱାଳ, ଡେପୁଟି କୋଲେକ୍ଟର ବଇତୁରା ଦିପ୍, ମଧୁସ୍ମିତା ବିଶୋଇ, କଳାକାରର ଅନୁଷ୍ଠାନର ସଭାପତି ଭୂପେଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
୭୩ ତମ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ପ୍ରସ୍ତୁତି ବୈଠକ
- Post published:January 16, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau

Tags: Angul