ଅନୁଗୁଳ: ମୃତକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଦେଇଥିଲା ଏୟାର ଫୋର୍ସ । ହେଲେ ଏହି କ୍ଷତିପୂରଣ ରାଶିକୁ ପ୍ରକୃତ ହିତାଧିକାରୀଙ୍କୁ ହସ୍ତାନ୍ତର ନକରି ଆତ୍ମସାତ୍ କରିବା ଅଭିଯୋଗରେ ବନ୍ଧା ହୋଇଛନ୍ତି ଅନୁଗୁଳ ଅମଲାପଡ଼ାରେ ଥିବା ଏନ୍ଜିଓ ହ୍ୟୁମାନ୍ ରାଇଟ୍ସ ୱାଚ୍ର ସମ୍ପାଦିକା ସଙ୍ଗୀତା ସ୍ବାଇଁ । ଅନୁଗୁଳ ଥାନା ପୁଲିସ୍ ତାଙ୍କୁ ଗିରଫ କରି ବୁଧବାର କୋର୍ଟଚାଲାଣ କରିଛି। ପୁଲିସ୍ ସୂଚନା ମୁତାବକ, ୨୦୧୬ ମସିହାରେ ଚାନ୍ଦିପୁର ଟେଷ୍ଟ ରେଞ୍ଜରେ ପୋଡ଼ି ହୋଇ ବାଲେଶ୍ବର ଜିଲ୍ଲାର ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ଦୁଇ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ପାଇଁ ଜାତୀୟ ମାନବାଧିକାର କମିଶନ ପକ୍ଷଙ୍କ ନିକଟରେ ହ୍ୟୁମାନ୍ ରାଇଟ୍ ୱାଚ୍ ପକ୍ଷରୁ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ଏୟାର ଫୋର୍ସ ପକ୍ଷରୁ ମୃତକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯାଇଥିଲା। ସେତେବେଳେ ଚୁକ୍ତି ଅନୁସାରେ ପାୱାର ଅଫ୍ ଆଟର୍ଣି ହୋଲ୍ଡର ଥିବା ଏନ୍ଜିଓ ସଂସ୍ଥା ଅନୁଗୁଳ ଅମଲାପଡ଼ା ଷଷ୍ଠ ଲେନ୍ରେ ଥିବା ହ୍ୟୁମାନ୍ ରାଇଟ୍ ୱାଚ୍ର ସମ୍ପାଦିକା ସଙ୍ଗୀତା ସ୍ବାଇଁଙ୍କ ଆକାଉଣ୍ଟକୁ ଏହି ଟଙ୍କା ପଠାଯାଇଥିଲା। ଏହି କ୍ଷତିପୂରଣ ରାଶିକୁ ପ୍ରକୃତ ହିତାଧିକାରୀଙ୍କୁ ହସ୍ତାନ୍ତର କରିବାକୁ କୁହାଯାଇଥିଲା। ମାତ୍ର ଅଭିଯୁକ୍ତ ଏହି କ୍ଷତିପୂରଣ ରାଶିକୁ ହିତାଧିକାରୀଙ୍କୁ ହସ୍ତାନ୍ତର କରିନଥିଲେ। ଖାଲି କାଗଜରେ ହିତାଧିକାରୀଙ୍କ ଦସ୍ତଖତ କରାଇ ସମସ୍ତ ଟଙ୍କାକୁ ଚଳୁ କରି ଦେଇଥିଲେ। ଏମିତିକି ସେ ବାଲେଶ୍ଵର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନକଲି କ୍ୟାସ୍ ରସିଦ୍ ଦାଖଲ କରିଥିଲେ । ଏନ୍ଜିଓ ସଂସ୍ଥା ହ୍ୟୁମାନ୍ ରାଇଟ ୱାଚର ସମ୍ପାଦିକାଙ୍କ ଏହି କାରସାଦି ଜଣାପଡ଼ିବା ପରେ ଏୟାରଫୋର୍ସ ପକ୍ଷରୁ ଗତ ୧୩ ତାରିଖ ଦିନ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ପୁଲିସ୍ ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଥିବା ବେଳେ ବୁଧବାର ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତକାରୀ ଅଧିକାରୀ ଇନ୍ସପେକ୍ଟର ଧିରେନ୍ କୁମାର ବେହେରା କୋର୍ଟଚାଲାଣ କରିଥିବା ଜଣାପଡ଼ିଛି।
୧୫ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଆତ୍ମସାତ୍, ବନ୍ଧା ହେଲେ ହ୍ୟୁମାନ୍ ରାଇଟ୍ ୱାଚ୍ ସମ୍ପାଦିକା
- Post published:June 17, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik

Tags: Angul