ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ୧୪୯ ନମ୍ବର ଜାତୀୟ ରାଜପଥର ଗୋଡ଼ିବନ୍ଧ ଠାରୁ ବଅଁରପାଳ ପର୍ଯ୍ୟନ୍ତ ନୂତନ ଚାରିଥାକିଆ ରାସ୍ତା ନିର୍ମାଣ ଓ ଗୋଡ଼ିବନ୍ଧ ଠାରୁ ଏନଟିପିସି ପର୍ଯ୍ୟନ୍ତ ରାସ୍ତାର ତୁରନ୍ତ ମରାମତି କିମ୍ବା ଜାତୀୟ ରାଜପଥ ବିଭାଗକୁ ହସ୍ତାନ୍ତର ଦାବିରେ ତାଳଚେର ସଚେତନ ନାଗରିକ ମଞ୍ଚ ପକ୍ଷରୁ ପୂର୍ବତନ ସାଂସଦ ମହେଶ ସାହୁଙ୍କ ନେତୃତ୍ବରେ ଅର୍ଥନୈତିକ ଅବରୋଧ ଆନ୍ଦୋଳନ ହୋଇଛି।
ନୂଆ ବଲଣ୍ଡା ଓ ତାଳଚେର ସହର ନିକଟସ୍ଥ ଏନଟିପିସି ରେଳ କରିଡ଼ର ରାସ୍ତାରେ ଶନିବାର ସକାଳ ୮:୩୦ରୁ ୧୦:୩୦ ପର୍ଯ୍ୟନ୍ତ ଦୁଇ ଘଣ୍ଟା ଧରି ଏହି ଆନ୍ଦୋଳନ ଚାଲିଥିଲା, ଯାହା ଫଳରେ ଏନଟିପିସି ଓ ଜେଆଇଟିପିଏଲକୁ କୋଇଲା ଚାଲାଣ ବନ୍ଦ ହୋଇଥିଲା। ଶ୍ରୀ ସାହୁ ଖାଲଖମଣ ରାସ୍ତା ମରାମତି ଓ ରାଜପଥ ନିର୍ମାଣ ତୁରନ୍ତ ଆରମ୍ଭ କରିବାକୁ ଦାବି କରିଛନ୍ତି, ନଚେତ୍ ରାସ୍ତାକୁ ଜାତୀୟ ରାଜପଥ ବିଭାଗକୁ ହସ୍ତାନ୍ତର କରିବାକୁ କହିଛନ୍ତି। ସେ କୋଇଲା ଖଣି, ଏନଟିପିସି ଓ ଜେଆଇଟିପିଏଲ ଭଳି ରାଷ୍ଟ୍ରାୟତ ଉଦ୍ୟୋଗମାନଙ୍କ ଉଦାସୀନତା ପ୍ରତି କ୍ଷୋଭ ପ୍ରକାଶ କରି ଏହି ଆନ୍ଦୋଳନ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜାରି ରହିବ ବୋଲି ଘୋଷଣା କରିଛନ୍ତି।
ଆନ୍ଦୋଳନରେ ବିଜେଡି ନେତା ଜ୍ୟୋତି ରଞ୍ଜନ ଦାସ, କାଉନସିଲର ଯଶୋବନ୍ତ ମିଶ୍ର, ବାବୁନା ସ୍ୱାଇଁ, ରାଜୀବ ରାଉତ, କୁଶ ବିହାରି ସାମଲ, ସୁଲେଖ ସେଠି, ଲିପୁ ରଥ, କାଲିଆ ସାମଲ, ହର୍ଷ ବର୍ଦ୍ଧନ ସାମଲ, ତପନ କୁମାର ମହାରଣା ପ୍ରମୁଖ ସାମିଲ ହୋଇଥିଲେ। ନୁଆ ବଲଣ୍ଡାରେ ମଧ୍ୟ ସ୍ଥାନୀୟ ସଚେତନ ନାଗରିକ ମଞ୍ଚର ସଦସ୍ୟମାନେ ରେଳ ଧାରଣା ଓ ରାଜପଥରେ ଧାରଣା ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।











