ଅନୁଗୁଳରେ ହେବ ବିଶ୍ୱର ସର୍ବବୃହତ୍ ଇସ୍ପାତ କାରଖାନା: ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରର ପ୍ରସ୍ତାବିତ କାରଖାନାର ସଂପ୍ରସାରଣ ପ୍ରକଳ୍ପ ପାଇଁ ପରିବେଶୀୟ ମଞ୍ଜୁରି ଜନଶୁଣାଣି ସଫଳ

You are currently viewing ଅନୁଗୁଳରେ ହେବ ବିଶ୍ୱର ସର୍ବବୃହତ୍ ଇସ୍ପାତ କାରଖାନା: ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରର ପ୍ରସ୍ତାବିତ କାରଖାନାର ସଂପ୍ରସାରଣ ପ୍ରକଳ୍ପ ପାଇଁ ପରିବେଶୀୟ ମଞ୍ଜୁରି ଜନଶୁଣାଣି ସଫଳ

ଅନୁଗୁଳ: ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରର ପ୍ରସ୍ତାବିତ ୧୯.୨ ଏମଟିପିଏ ଇସ୍ପାତ କାରଖାନା ଏବଂ ଏହି ପ୍ରକଳ୍ପ ଅଧୀନରେ ଅନ୍ୟାନ୍ୟ ଆନୁସଙ୍ଗିକ କାରଖାନା ନିମନ୍ତେ ପରିବେଶୀୟ ମଞ୍ଜୁରୀ ପାଇଁ ଜନଶୁଣାଣି ଆଜି ଅନୁଗୁଳସ୍ଥିତ ସଭାଘରେ ସଫଳତାର ସହ ଶେଷ ହୋଇଛି। ଅନୁଗୁଳ ଏଡିଏମ ରଜନୀକାନ୍ତ ସ୍ଵାଇଁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ଜନ ଜନଶୁଣାଣି କାର୍ଯ୍ୟକ୍ରମରେ ପ୍ରସ୍ତାବିତ ପ୍ରକଳ୍ପ ପ୍ରଭାବିତ ବିଭିନ୍ନ ଗ୍ରାମବାସୀ ଅଂଶଗ୍ରହଣ କରି ଜିନ୍ଦଲ ଷ୍ଟିଲ ଓଡ଼ିଶାର ଏହି ପ୍ରକଳ୍ପକୁ ବିପୁଳ ସମର୍ଥନ ଜଣାଇବା ସହିତ ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଡ. ଅନୁପ ମଲ୍ଲିକ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ଏହି ପ୍ରସ୍ତାବିତ ପ୍ରକଳ୍ପ ପୂରା ହେବା ପରେ ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରର ଏହି ଇସ୍ପାତ କାରଖାନାର କ୍ଷମତା ବାର୍ଷିକ ୨୫.୨ ନିୟୁତ ଟନ ହେବ, ଯାହା ବିଶ୍ଵର ସର୍ବବୃହତ୍ ଇସ୍ପାତ କାରଖାନା ହେବ।

ଏହି ପ୍ରକଳ୍ପରେ କମ୍ପାନୀ ପକ୍ଷରୁ ଅନୁଗୁଳରେ ୧,୧୯,୯୫୨ କୋଟିର ପୁଞ୍ଜିନିବେଶ କରାଯିବ। ଏହାଦ୍ବାରା ୯,୪୦୦ରୁ ଅଧିକ ପ୍ରତ୍ଯକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟିହେବ, ଯେଉଁଥିରେ ସ୍ଥାନୀୟ ଅଞ୍ଚଳର ଅର୍ଦ୍ଧ-କୁଶଳୀ ଏବଂ ସ୍ଥାନୀୟ ତଥା ବାହ୍ୟ ଅଞ୍ଚଳର କୁଶଳୀ କର୍ମଚାରୀ କାମ କରିବେ। ଏଥିସହ ହଜାର ହଜାର ପରୋକ୍ଷ ନିଯୁକ୍ତି ସହିତ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ବ୍ୟବସାୟ ସୁଯୋଗ ମଧ୍ୟ ସୁଯୋଗ ସୃଷ୍ଟି ହେବ ।

ପ୍ରକଳ୍ପର ପ୍ରାୟ ଏକ ତୃତୀୟାଂଶ ଅଞ୍ଚଳରେ ୭.୭ ଲକ୍ଷ ବୃକ୍ଷରୋପଣ କରାଯାଇ ଏକ ସବୁଜ ବଳୟ ତିଆରି କରାଯିବ। କାରଖାନାଟି ଜିରୋ ଲିକ୍ୱିଡ୍ ଡିସଚାର୍ଜ ଜ୍ଞାନକୌଶଳରେ ନିର୍ମାଣ କରାଯିବ, ଯାହାଦ୍ୱାରା କାରଖାନାରୁ ନିର୍ଗତ ସମସ୍ତ ଜଳ ପୁନପ୍ରକ୍ରିୟାକରଣ କରାଯାଇ ବ୍ୟବହାର କରାଯିବ। ଅନୁମୋଦିତ ସୀମା ମଧ୍ୟରେ ପରିବେଶ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାପାଇଁ ବିଭିନ୍ନ ପଦକ୍ଷେପ ଏବଂ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯିବା ସହିତ ପରିବେଶର ସମସ୍ତ ଉପାଦାନଗୁଡ଼ିକର ନିୟମିତ ମନିଟରିଂ କରାଯିବ।ପ୍ରକଳ୍ପ ଅଞ୍ଚଳରେ ଏକ ମଲ୍ଟି ସ୍ପେଶାଲିଟି ଡାକ୍ତରଖାନା କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ ହେବ ବୋଲି ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଆଜିର ବୈଠକରେ ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା, ଅନୁଗୁଳ ପୌରପାଳ ଅକ୍ଷୟ କୁମାର ସାମନ୍ତ, ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ଆଗସ୍ତି ବେହେରା, କମ୍ପାନୀ ନିର୍ବାହୀ ନିର୍ଦ୍ଦେଶକ ହୃଦୟେଶ୍ଵର ଝା, ଉପସଭାପତି ସୁରେଶ କୁମାର ଶର୍ମା, ଆଶିଷ ପାଣ୍ଡେ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply