ଅନୁଗୁଳ: କରୋନା ଯୋଗୁ ଏବର୍ଷ ରାଜ୍ୟରେ ବିଳମ୍ବ ହୋଇଛି ପାଠପଢା। ବହୁ କଳ୍ପନାଜଳ୍ପନା ଭିତରେ ମେ ୩ରୁ ମାଟ୍ରିକ ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛନ୍ତି ସରକାର । ଏବର୍ଷ ପ୍ରତି ବିଷୟରେ ୮୦ ମାର୍କର ପରୀକ୍ଷା ହେବ । ଛାତ୍ରଛାତ୍ରୀ ୫୦ ମାର୍କର ଅବଜେକ୍ଟିଭ୍ ଓ ୩୦ ମାର୍କର ସବଜେକ୍ଟିଭ ପ୍ରଶ୍ନର ଉତ୍ତର ଦେବେ । କିନ୍ତୁ ରେଜଲ୍ଟ ବେଳେ ୧୦୦ ମାର୍କର ମୂଲ୍ୟାୟନ କରାଯିବ । ଏହି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ୮୦ ମାର୍କର ରେଜଲ୍ଟ ଆଧାରରେ ବଳକା ୨୦ ମାର୍କ ପାଇଁ ନମ୍ବର ପାଇବେ ଛାତ୍ରଛାତ୍ରୀ ।
ମାଟ୍ରିକ୍ ପରୀକ୍ଷା ଆସନ୍ତା ମେ ୩ ତାରିଖରୁ ଆରମ୍ଭ ହୋଇ ମେ ୧୫ ତାରିଖରେ ଶେଷ ହେବ । ଫର୍ମପୂରଣ ସଂକ୍ରାନ୍ତରେ ଆସନ୍ତାକାଲି କିମ୍ବା ୫ ତାରିଖରେ ଘୋଷଣା କରାଯିବ । ଫର୍ମପୂରଣ ପରେ ପରୀକ୍ଷାର କାର୍ଯ୍ୟସୂଚୀ ବିଷୟରେ ପ୍ରକାଶ କରାଯିବ । ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ଜାନୁଆରୀ ୮ରୁ ଏପ୍ରିଲ ୨୬ତାରିଖ ପର୍ଯ୍ୟନ୍ତ ପାଠପଢ଼ା ହେବ । ଶନିବାର/ରବିବାରକୁ ମିଶାଇ ୧୦୦ ଦିନ ପାଠପଢ଼ା ହେବ। ଆବଶ୍ୟକସ୍ଥଳେ ଅନ୍ୟଦିନକୁ ଛୁଟି ଦିନ ଘୋଷଣା କରାଯିବ ବୋଲି ସୂଚନା ମିଳିଛି।