ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ନୂତନ ଶିକ୍ଷାବର୍ଷ (୨୦୨୬-୨୭)ର ଆଇ.ଟି.ଇ.ପି ଛାତ୍ରଛାତ୍ରୀଙ୍କ ପାଇଁ ଏକ ଭର୍ଚୁଆଲ୍ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ପରିସଂଖ୍ୟାନ ବିଭାଗରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଭର୍ଚୁଆଲ୍ ମାଧ୍ୟମରେ ଯୋଗଦେଇ ନୂତନ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଏଥିସହ ଉଚ୍ଚଶିକ୍ଷା ସଚିବ, ନିର୍ଦ୍ଦେଶକ ଏବଂ ୭ରୁ ଊର୍ଦ୍ଧ୍ୱ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଅଧ୍ୟକ୍ଷ ଓ ବିଭାଗୀୟ ମୁଖ୍ୟମାନେ ଯୋଗଦେଇ ଆଇ.ଟି.ଇ.ପି ପାଠ୍ୟକ୍ରମ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବା ସହ ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ।
ଏହି ଅବସରରେ ଶିକ୍ଷକ ଶିକ୍ଷା ବିଭାଗର ସଂଯୋଜିକା ଡକ୍ଟର ସ୍ୱୟଂପ୍ରଭା ମିଶ୍ର, ଓଏସଡି ପ୍ରଫେସର ପ୍ରିୟରଞ୍ଜନ ଦାସ, ବିଭାଗୀୟ ମୁଖ୍ୟ ଡକ୍ଟର ଗୌତମ କୁମାରଙ୍କ ସମେତ ବହୁ ଅଧ୍ୟାପକ-ଅଧ୍ୟାପିକା, ଶତାଧିକ ଛାତ୍ରଛାତ୍ରୀ ଓ ଅଭିଭାବକ ଯୋଗଦେଇଥିଲେ। ଭର୍ଚୁଆଲ୍ ମିଟିଂ ପରେ ବିଭାଗୀୟ ମୁଖ୍ୟ ଡକ୍ଟର ଗୌତମ କୁମାର ଏବଂ ଅନ୍ୟାନ୍ୟ ଅଧ୍ୟାପକମାନେ ଛାତ୍ରଛାତୀଙ୍କୁ କ୍ୟାମ୍ପସ ପରିବେଶ ସହ ପରିଚିତ କରାଇବା ସହ ନୈତିକ ମୂଲ୍ୟବୋଧ, ନବସୃଜନ ଓ ସାମାଜିକ ଦାୟିତ୍ୱବୋଧ ଉପରେ ଦିଗଦର୍ଶନ ଦେଇଥିଲେ।











