ଅନୁଗୁଳ: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ‘ନୀତି ଓ ଆଦର୍ଶ’ ଏବଂ ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ‘ଶୃଙ୍ଖଳା’କୁ ପାଥେୟ କରି ଗଠିତ “ବିଜୁ ଜନତା ଦଳ – ତାଳଚେର” ହ୍ୱାଟସଆପ୍ ଗ୍ରୁପ୍ ସଫଳତାର ସହ ୧୦ ବର୍ଷ ପୂରଣ କରିଛି।
ଅନୁଗୁଳ ଜିଲ୍ଲା ବିଜେଡି ସଭାପତି ତଥା ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଦୂରଦର୍ଶୀ ଓ ସାଂଗଠନିକ ନେତୃତ୍ୱରେ ଗଠିତ ଏହି ଗ୍ରୁପ୍ର ଐତିହାସିକ ୧୦ ବର୍ଷ ପୂର୍ତ୍ତି ଅବସରରେ ଏକ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଧାୟକ ଶ୍ରୀ ପ୍ରଧାନ ନିଜେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ।
ଦଳୀୟ ସୂତ୍ରରୁ ପ୍ରକାଶ, ଦଳର ସଂଗଠନକୁ ତୃଣମୂଳ ସ୍ତରରେ ମଜବୁତ କରିବା ଏବଂ ସାଧାରଣ ଲୋକଙ୍କ ସୁଖ-ଦୁଃଖର ସାଥୀ ହେବାରେ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ ସେତୁ ଭାବେ କାର୍ଯ୍ୟ କରିଆସିଛି। ସରକାରୀ ଯୋଜନାର ପ୍ରଚାର, ଲୋକଙ୍କ ସମସ୍ୟାର ସମାଧାନ ଓ ସାଂଗଠନିକ ସମନ୍ୱୟ କ୍ଷେତ୍ରରେ ଗ୍ରୁପ୍ର ଭୂମିକା ଉଲ୍ଲେଖନୀୟ ରହିଛି।
ଏହି ଅବସରରେ ବିଧାୟକ ବ୍ରଜକିଶୋର ପ୍ରଧାନ ଦଳର ସମସ୍ତ ସକ୍ରିୟ ସଦସ୍ୟ ଓ ନିଷ୍ଠାପର ପଦାଧିକାରୀଙ୍କୁ ସେମାନଙ୍କ ଅଦମ୍ୟ ନିଷ୍ଠା ଓ ନିରନ୍ତର ସେବା ପାଇଁ ସମ୍ମାନିତ କରିଥିଲେ। ସେ କହିଥିଲେ, “ଆଗାମୀ ଦିନରେ ମଧ୍ୟ ଏହି ଏକତା ଓ ସେବା ମନୋଭାବ ତାଳଚେର ବିଜୁ ଜନତା ଦଳକୁ ଆହୁରି ଶକ୍ତିଶାଳୀ କରିବ।”
କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ନେତା, ଯୁବ ଓ ଛାତ୍ର ସଂଗଠନର କର୍ମକର୍ତା ଉପସ୍ଥିତ ଥିଲେ। ସମସ୍ତ ଗ୍ରୁପ୍ ସଦସ୍ୟ ଓ କର୍ମକର୍ତ୍ତାଙ୍କୁ ବିଧାୟକ ଆନ୍ତରିକ ଶୁଭେଚ୍ଛା ଓ ସାଧୁବାଦ ଜଣାଇଥିଲେ।











