ଅନୁଗୋଳ: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବହିଷ୍କାର, ଏସ୍ଆଇଆର୍ ପ୍ରକ୍ରିୟା ରଦ୍ଦ ଏବଂ ସମସ୍ତ ଯୋଗ୍ୟ ଭୋଟରଙ୍କ ମତଦାନ ଅଧିକାର ସୁରକ୍ଷା ଦାବିରେ ଏସ୍ୟୁସିଆଇ (କମ୍ୟୁନିଷ୍ଟ) ଅନୁଗୋଳ ଆଞ୍ଚଳିକ କମିଟି ପକ୍ଷରୁ ଶୁକ୍ରବାର ଏକ ପ୍ରତିବାଦ ଶୋଭାଯାତ୍ରା ଆୟୋଜିତ ହୋଇଥିଲା।
ଗୋପବନ୍ଧୁ ପାର୍କରୁ ବାହାରିଥିବା ଶୋଭାଯାତ୍ରା ସହରର ବିଭିନ୍ନ ବଜାର ପରିକ୍ରମା କରି ରାଜାଛକରେ ପହଞ୍ଚିଥିଲା। ସେଠାରେ ଆଞ୍ଚଳିକ କମିଟି ସମ୍ପାଦକ ବ୍ରଜବନ୍ଧୁ ସାହୁଙ୍କ ସଭାପତିତ୍ୱରେ ପ୍ରତିବାଦ ସଭା ହୋଇଥିଲା।
ସଭାରେ ବରିଷ୍ଠ ଓକିଲ ପ୍ରମୋଦ କୁମାର ପ୍ରଧାନଙ୍କ ସମେତ ବିଷ୍ଣୁ ସାହୁ, ଜ୍ୟୋତ୍ସ୍ନା ସାମଲ ଓ ମଳୟ ବେହେରା ଉଦ୍ବୋଧନ ଦେଇ ଏସ୍ଆଇଆର୍ ଯୋଗୁଁ ଭୋଟରଙ୍କ ଅଧିକାର ପ୍ରଭାବିତ ହେବା ନେଇ ଉଦ୍ବେଗ ପ୍ରକାଶ କରିଥିଲେ। ଏଥିସହ ଏମ୍ଏମ୍ଡିଆର୍ ସଂଶୋଧିତ ଆଇନ, ୨୦୨୬ ବାତିଲ ଓ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ବଦଳାଇବାକୁ ଦାବି ହୋଇଥିଲା। ଶେଷରେ ନିରଞ୍ଜନ ନାୟକ କୁଶପୁତ୍ତଳିକା ଦାହ କରିଥିଲେ।












