ତାଳଚେରକୁ ଜିଲ୍ଲା ମାନ୍ୟତା ଦାବି, ଜୁନ ୭ରେ ୧୨ ଘଣ୍ଟିଆ ବନ୍ଦ ଡାକରା

You are currently viewing ତାଳଚେରକୁ ଜିଲ୍ଲା ମାନ୍ୟତା ଦାବି, ଜୁନ ୭ରେ ୧୨ ଘଣ୍ଟିଆ ବନ୍ଦ ଡାକରା

ତାଳଚେର: ତାଳଚେରକୁ ସ୍ଵତନ୍ତ୍ର ଜିଲ୍ଲା ମାନ୍ୟତା ଦାବିରେ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜୁନ୍ ୭ ତାରିଖ ଦିନ ୧୨ ଘଣ୍ଟିଆ ବନ୍ଦ୍ ଡାକରା ଦିଆଯାଇଛି। ବିଗତ ଦିନରେ ପୂର୍ବ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ତାଳଚେର ଗସ୍ତରେ ଆସିବା ବେଳେ ତାଳଚେର ଓଡ଼ିଶାର ୩୧ ନମ୍ବର ଜିଲ୍ଲା ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଆଜି ଯାଏଁ ତାଳଚେରବାସୀଙ୍କ ସେହି ସ୍ବପ୍ନ ପୂରଣ ହୋଇପାରିନାହିଁ। ଏବେ ବି ତାଳଚେରବାସୀ ଧୂଳି ଧୁଆଁ ଯୋଗୁଁ ଅବହେଳିତ।

ତେବେ ପଦ୍ମପୁର ଉପନିର୍ବାଚନ ବେଳେ ପଦ୍ମପୁରକୁ ଜିଲ୍ଲା ଘୋଷଣା କରିବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ବିଜୁ ପଟ୍ଟନାୟକଙ୍କ ସେହି ପ୍ରତିଶ୍ରୁତିକୁ ସରକାର ଭୁଲି ଯାଇଛନ୍ତି। ଏଣୁ ଏବେ ତାଳଚେରକୁ ଜିଲ୍ଲା ଘୋଷଣା କରିବା ପାଇଁ ଦାବି ମୁଣ୍ଡ ଟେକିଛି। ଜିଲ୍ଲା ହେବାକୁ ନେଇ ଗଠନ ହୋଇଛି ତାଳଚେର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି। ତାଳଚେର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏ ନେଇ ଗଣଧାରଣା ୧୭୩ ଦିନରେ ପଦାର୍ପଣ କରିଛି। ପୂର୍ବରୁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସରକାରଙ୍କୁ ତାଳଚେର ଜିଲ୍ଲା ଘୋଷଣା ଦାବିରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। କିନ୍ତୁ ସରକାର ଏଥିପ୍ରତି ଦୃଷ୍ଟିପାତ କରୁ ନଥିବା ସାଧାରଣରେ ଚର୍ଚ୍ଚା ହେଉଛି। ତେବେ ଜୁନ ୭ ତାରିଖ ବିଧିବଦ୍ଧ ଭାବେ ୧୨ ଘଣ୍ଟିଆ ତାଳଚେର ବନ୍ଦ କରିବ ବୋଲି କ୍ରିୟାନୁଷ୍ଠାନ ପକ୍ଷରୁ ଲିଖିତ ଭାବେ ଜଣାଇଛନ୍ତି। ଏହାର ନକଲ ରାଜ୍ୟ ରାଜସ୍ବ ମନ୍ତ୍ରୀ, ଢେଙ୍କାନାଳ ସାଂସଦ, ତାଳଚେର ବିଧାୟକ, ପାଳଲହଡା ବିଧାୟକ, ପରଜଙ୍ଗ ବିଧାୟକ, ଅନୁଗୁଳ ଜିଲ୍ଲାପାଳ, ଅନୁଗୁଳ ଆରକ୍ଷୀ ଅଧୀକ୍ଷକ, ତାଳଚେର ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ, ଏମସିଏଲର ସିଏମଡି, ଖୋର୍ଦ୍ଧା ଡିଭିଜନ (ରେଲୱେ) ଡିଆରଏମଙ୍କୁ ପ୍ରଦାନ କରାଯାଇଛି।

Share

Leave a Reply