ଅନୁଗୁଳ: ଅନୁଗୁଳ ନିଶା ଥାନା ଅନ୍ତର୍ଗତ ଶ୍ରୀମେଟାଲିକ୍ ସ୍ପଞ୍ଜ ଆଇରନ ପ୍ଲାଣ୍ଟରେ ଗତକାଲି ବିଳମ୍ବିତ ରାତିରେ ଏକ ବଡ଼ଧରଣର ଦୁର୍ଘଟଣା ଘଟି ୩ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ସୁନ୍ଦରଗଡ଼ ଜିଲ୍ଲା ତିନିଗୁଡ଼ା ଗାଁର ଶ୍ରୀଧର ବୋଗେନ୍, ମଣ୍ଟୁ କୁମାର ଏବଂ ରାଜଗାଙ୍ଗପୁରର ମଙ୍ଗଳ ମାଝୀ। ସୂଚନା ଅନୁସାରେ, ପ୍ଲାଣ୍ଟର ଡି.ଆର.ଆଇ ୟୁନିଟ୍ରେ କାମ ଚାଲିଥିବା ବେଳେ ବିଷାକ୍ତ ଗ୍ୟାସ ଲିକ୍ ଯୋଗୁଁ ଏହି ଅଘଟଣ ଘଟିଥିବା ଆଶଙ୍କା କରାଯାଉଛି।
ତେବେ ପ୍ଲାଣ୍ଟ କର୍ତ୍ତୃପକ୍ଷ ଘଟଣାକୁ ଲୁଚାଇବା ପାଇଁ ଶବଗୁଡ଼ିକୁ ସ୍ଥାନୀୟ ଡାକ୍ତରଖାନା ନନେଇ ୪୦ କିମି ଦୂର ହିନ୍ଦୋଳକୁ ପଠାଇ ଦେଇଥିବା ଅଭିଯୋଗ ହୋଇଛି। ଆଜି ସକାଳେ ଖବର ପ୍ରଚାରିତ ହେବା ପରେ ପୋଲିସ ପ୍ଲାଣ୍ଟରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ପରିବାର ପହଞ୍ଚି ସାରିଥିଲେ ମଧ୍ୟ ସମନ୍ୱୟ ଅଭାବରୁ ଶବ ବ୍ୟବଚ୍ଛେଦରେ ବିଳମ୍ବ ହେଉଛି।
ଏହି ସ୍ପର୍ଶକାତର ଘଟଣାରେ ପ୍ଲାଣ୍ଟ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ସାଧାରଣରେ ଦାବି ଜୋର ଧରିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଦୁର୍ଘଟଣାର ପ୍ରକୃତ କାରଣ ଖୋଜିବା ପାଇଁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।











