ଅନୁଗୋଳ: ଗଣେଶ ପୂଜା ଅବସରରେ ମୀନା ବଜାରରେ ଭିଡ଼ର ସୁଯୋଗ ନେଇ ଜଣେ ନାବାଳକଙ୍କ ବେକରୁ ସୁନା ଚେନ୍ ଓ ଲକେଟ୍ ଛଡ଼ାଇ ନେବା ଅଭିଯୋଗରେ ତାଳଚେର ପୋଲିସ ୪ ଜଣଙ୍କୁ ଗିରଫ କରିଛି। ଘଟଣାଟି ୧୬ ତାରିଖ ସନ୍ଧ୍ୟାରେ ତାଳଚେର ବାଇପାସ୍ ସୁପର ମାର୍କେଟ୍ ନିକଟରେ ଘଟିଥିବା ପୋଲିସ ସୂଚନା ଦେଇଛି।
ଅଭିଯୋଗ ଅନୁସାରେ, ବଘୁଆବୋଲ ଗ୍ରାମର ସୁନିତା ସାହୁ ପରିବାର ସହ ଗଣେଶ ପୂଜା ଦେଖିବାକୁ ଯାଇଥିଲେ। ତାଙ୍କ ପୁଅ ରାଇଡ୍ରେ ଖେଳୁଥିବା ସମୟରେ ଅଜଣା ବ୍ୟକ୍ତି ତାଙ୍କ ବେକରୁ ଚେନ୍ ଓ ଲକେଟ୍ ନେଇଥିବା ଅଭିଯୋଗ ହୋଇଥିଲା।
ଏହି ମାମଲାରେ ବିଜୁ ଦାସ, ମାଳତୀ ଦାସ, ରାଜା ଦାସ ଓ ଜ୍ୟୋତି ଦାସଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କଠାରୁ ସୁନା ପରି ଦେଖାଯାଉଥିବା ଏକ ଲକେଟ୍ ଓ ୪ ହଜାର ଟଙ୍କା ଜବତ ହୋଇଛି। ପୋଲିସର ସୂଚନା ଅନୁସାରେ, ଅଭିଯୁକ୍ତମାନେ ପୂଜା, ମେଳା ଓ ଭିଡ଼ ସ୍ଥାନରେ ପ୍ଲାଷ୍ଟିକ୍ ସାମଗ୍ରୀ ବିକ୍ରି ଆଳରେ ଯାଇ ଛୋଟ ପିଲାଙ୍କୁ ଟାର୍ଗେଟ୍ କରୁଥିଲେ। ତିଗିରିଆ ଥାନା ଅଞ୍ଚଳର ସମାନ ମାମଲାରେ ମଧ୍ୟ ସେମାନଙ୍କ ସମ୍ପୃକ୍ତି ନେଇ ତଦନ୍ତ ଚାଲିଛି।












