ଖୁଡ଼ି-ଝିଆରୀକୁ ମାରଣାସ୍ତ୍ର ଦେଖାଇ ଲୁଟ୍ ଘଟଣା: ୭ ଲୁଟେରା ଗିରଫ, ନଗଦ ଟଙ୍କା ସହ ସୁନାଗହଣା ଓ ବାଇକ ଜବତ

You are currently viewing ଖୁଡ଼ି-ଝିଆରୀକୁ ମାରଣାସ୍ତ୍ର ଦେଖାଇ ଲୁଟ୍ ଘଟଣା: ୭ ଲୁଟେରା ଗିରଫ, ନଗଦ ଟଙ୍କା ସହ ସୁନାଗହଣା ଓ ବାଇକ ଜବତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଗଡସନ୍ତ୍ରୀ ପଞ୍ଚାୟତର ଭାଗବତପୁର ଗ୍ରାମରେ ଗତ ମଙ୍ଗଳବାର ରାତିରେ ଘରେ ପଶି ଖୁଡ଼ି ଓ ଝିଆରୀଙ୍କୁ ଛୁରୀ ଲଗାଇ ଟଙ୍କା, ସୁନା ଲୁଟ ଘଟଣାରେ ୭ ଲୁଟେରାଙ୍କୁ ଗିରଫ କରିଛି ଅନୁଗୁଳ ପୋଲିସ। ଗିରଫମାନେ ହେଲେ କଣ୍ଟାବଣିଆର ଟୁନା ଭୁତିଆ, କୁସୁନା ଗ୍ରାମର ସୁଜିତ କୁମାର ନାଏକ, ଅପର୍ତିପୁର ଗ୍ରାମର ସୌମ୍ୟ ପ୍ରସାଦ ବେହେରା, ନରେନ୍ଦ୍ରପୁରର ଅଭୟ ସାହୁ, ତଳମୂଳର ଅଜିତ କୁମାର ବେହେରା, ଭଗବତପୁର ରାଜେନ୍ଦ୍ର ପରିଡା ଏବଂ ବାଲିମି ଅଞ୍ଚଳର ଲକ୍ଷ୍ମଣ ସାହୁ। ସେମାନଙ୍କ ଠାରୁ ପୋଲିସ ନଗଦ ୨ ଲକ୍ଷ ୬୬ ହଜାର ଟଙ୍କା ସହ ସୁନା ଗହଣା ଓ ବାଇକ, ମୋବାଇଲ ଫୋନ୍ ଜବତ କରିଛି।

ଶନିବାର ଏକ ସାମ୍ବାଦିକ ସମ୍ମିଳନୀ କରି ଅନୁଗୁଳ ଏସପି ରାହୁଲ ଜୈନ କହିଛନ୍ତି, ଗତ ମଙ୍ଗଳବାର ବଅଁରପାଳ ଥାନା ଭାଗବତପୁର ଗ୍ରାମର ବିଜୟ ଭୁତିଆ ତାଙ୍କ ସ୍ତ୍ରୀ ଯୋରନ୍ଦା ମେଳା ଦେଖିବାକୁ ଯାଇଥିବା ବେଳେ ଘରେ ଭାଇବୋହୂ ଓ ତାଙ୍କର ଛୋଟଛୁଆ ଥିଲେ। ରାତିରେ ଘରକୁ ୭ ବ୍ୟକ୍ତି ପ୍ରବେଶ କରି ଭିତର ପାଖରୁ କବାଟ ବନ୍ଦ କରି ବିଜୟଙ୍କ ଭାଇବୋହୂଙ୍କ ମୁହଁରେ ଟେପ୍ ବାନ୍ଧି ହାତକୁ ବାନ୍ଧି ପିଟିବା ସହ ବିଜୟଙ୍କ ଝିଅ ବେକରେ ଛୁରୀ ଲଗାଇ ବିଜୟଙ୍କ ଦୁଇ ଛୋଟ ପୁତୁରାଙ୍କୁ ହତ୍ୟା ଧମକ ଦେଇଥିଲା। ପରେ ନଗଦ ୩ ଲକ୍ଷ ୫୦ ହଜାର ଟଙ୍କା ଓ ୯ ଲକ୍ଷ ୬୦ହଜାର ଟଙ୍କାର ସୁନା ଅଳଙ୍କାର ଲୁଟି ଫେରାର ହୋଇଯାଇଥିଲେ। ଏନେଇ ବିଜୟ ଭୁତିଆଙ୍କ ଭାଇ ଅଜୟ ଭୁତିଆ ବଅଁରପାଳ ଥାନାରେ ଏତଲା ଦେବା ପରେ ବଅଁରପାଳ ପୋଲିସ ଏ ନେଇ ଏକ କେସ୍ ରୁଜୁ କରି ଘଟଣାର ତଦନ୍ତ କରିବା ସହ ଏକ ଟିମ୍ ଗଠନ କରି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚଢ଼ଉ କରି ଏହି ଲୁଟ ଘଟଣାରେ ସଂଶ୍ଲିଷ୍ଟ ଥିବା ୭ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ନଗଦ ୨ ଲକ୍ଷ ୬୬ହଜାର ଟଙ୍କା, ସୁନା ହାର, ସୁନା ଚେନ, ସୁନା ମୁଦି, ସୁନା କାନର, ୯ଟି ମୋବାଇଲ, ତିନୋଟି ବାଇକ ଆଦି ଜବତ କରିଛି।

ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଆଇ ପି ଏସ ପ୍ରୋବେଶନ ବର୍ଷିତା, ଏସ ଡି ପି ଓ ରମାକାନ୍ତ ମହାଳିକ, ଏସ ଆଇ ଅମିତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply