୪ ଆଇପିଏସ୍‌ଙ୍କ ବଦଳି, ସରବଣା ହେଲେ ଭୁବନେଶ୍ୱର ଡିସିପି

You are currently viewing ୪ ଆଇପିଏସ୍‌ଙ୍କ ବଦଳି, ସରବଣା ହେଲେ ଭୁବନେଶ୍ୱର ଡିସିପି

ଭୁବନେଶ୍ୱର: ରାଜ୍ୟ ସରକାର ପୋଲିସ ପ୍ରଶାସନରେ ଏକ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ କରିଛନ୍ତି । ମଙ୍ଗଳବାର ଦିନ ରାଜ୍ୟ ଗୃହ ବିଭାଗ ପକ୍ଷରୁ ପ୍ରକାଶିତ ଏକ ନୂତନ ବିଜ୍ଞପ୍ତି ଅନୁଯାୟୀ, ୪ ଜଣ ଆଇପିଏସ୍ ଅଧିକାରୀଙ୍କୁ ବଦଳି କରାଯାଇ ନୂଆ ଦାୟିତ୍ୱ ଦିଆଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ସ୍ୱରୂପ ଭୁବନେଶ୍ୱର ପାଇଁ ନୂଆ ଡିସିପିଙ୍କୁ ନିଯୁକ୍ତି ମିଳିଛି ।

ଗୃହ ବିଭାଗର ନିର୍ଦ୍ଦେଶନାମା ଅନୁଯାୟୀ, ବ୍ରହ୍ମପୁରର ଆରକ୍ଷୀ ଅଧୀକ୍ଷକ ଭାବେ କାର୍ଯ୍ୟରତ ଥିବା ୨୦୧୫ ବ୍ୟାଚ୍‌ର ଆଇପିଏସ୍ ଅଧିକାରୀ ଡକ୍ଟର ସରବଣା ବିବେକ ଏମଙ୍କୁ ବଦଳି କରାଯାଇ ଭୁବନେଶ୍ୱରର ନୂଆ ଡିସିପି ଭାବେ ଅବସ୍ଥାପିତ କରାଯାଇଛି । ସେ ବର୍ତ୍ତମାନର ଡିସିପି ଜଗମୋହନ ମୀନାଙ୍କ ସ୍ଥାନ ନେବେ । ସୂଚନାଯୋଗ୍ୟ ଯେ, ଜଗମୋହନ ମୀନା ନିକଟରେ ନିଜ ପଦବୀରୁ ଇସ୍ତଫା ଦେଇଥିଲେ । ଏଭଳି ପରିସ୍ଥିତିରେ ରାଜଧାନୀର ଆଇନଶୃଙ୍ଖଳା ବଜାୟ ରଖିବା ସହ ପାର୍ବଣ ଋତୁରେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଡକ୍ଟର ସରବଣାଙ୍କ ଉପରେ ଏକ ବଡ଼ ଦାୟିତ୍ୱ ନ୍ୟସ୍ତ କରାଯାଇଛି ।

ଅନ୍ୟପକ୍ଷରେ, ଡକ୍ଟର ସରବଣା ବିବେକଙ୍କ ବଦଳି ପରେ ଖାଲି ପଡ଼ିଥିବା ବ୍ରହ୍ମପୁର ଏସପି ପଦବୀରେ ୨୦୧୯ ବ୍ୟାଚ୍‌ର ଯୁବ ଆଇପିଏସ୍ ଅଧିକାରୀ ଅଭିନବ ସୋନକରଙ୍କୁ ନିଯୁକ୍ତି ଦିଆଯାଇଛି। ସୋନକର ବର୍ତ୍ତମାନ ଢେଙ୍କାନାଳ ଜିଲ୍ଲାର ଏସପି ଭାବେ କାର୍ଯ୍ୟ କରୁଛନ୍ତି । ସେହିପରି ଢେଙ୍କାନାଳ ଏସପି ଭାବେ ୨୦୨୨ ବ୍ୟାଚ୍‌ର ଆଇପିଏସ୍ ମାନେ ଅଜିଙ୍କ୍ୟ ବାବୁରାଓଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯିବ । ବାବୁରାଓ ଏବେ ପାରାଦୀପରେ ଅତିରିକ୍ତ ଏସପି (ଆଡିସନାଲ୍ ଏସପି) ଭାବେ ନିଜର ସେବା ପ୍ରଦାନ କରୁଛନ୍ତି ।

ଏହା ବ୍ୟତୀତ, ରାଜ୍ୟ ପୋଲିସ ମୁଖ୍ୟାଳୟରେ ସହକାରୀ ଏସପି ଭାବେ କାର୍ଯ୍ୟରତ ଥିବା ୨୦୨୧ ବ୍ୟାଚ୍‌ର ଆଇପିଏସ୍ ଅଧିକାରୀ ଏ.ବି. ଶିଳ୍ପାଙ୍କୁ ମଧ୍ୟ ବଦଳି କରାଯାଇଛି । ତାଙ୍କୁ ବରଗଡ଼ ଜିଲ୍ଲାର ଏସଡିପିଓ ଭାବେ ନୂତନ ଦାୟିତ୍ୱ ଦିଆଯାଇଛି ।

ରାଜ୍ୟପାଳଙ୍କ ଆଦେଶକ୍ରମେ ଗୃହ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଛି ଏବଂ ଏହି ବଦଳି ପ୍ରକ୍ରିୟାକୁ ତୁରନ୍ତ ଲାଗୁ କରିବାକୁ ବିଜ୍ଞପ୍ତିରେ ଦର୍ଶାଇ ଦିଆଯାଇଛି।

Share

Leave a Reply