ଅନୁଗୋଳ: ଅଜଣା ନମ୍ବରରୁ ଆସିଲା ଫୋନ୍ କଲ୍। କ୍ରେଡିଟ୍ କାର୍ଡ ସମ୍ପର୍କିତ ତଥ୍ୟ ମାଗି ଠକିନେଲେ ପ୍ରାୟ ୫ ଲକ୍ଷ ଟଙ୍କା। ଅନୁଗୋଳ ସଦର ଥାନା ଅଞ୍ଚଳ ଜରାସିଂହା ଗାଁର ମନୋଜ କୁମାର ସାହୁ ଏଭଳି ସାଇବର ଠକେଇର ଶିକାର ହୋଇଛନ୍ତି।
ସୂଚନା ଅନୁସାରେ, ଗତ ୧୬ ତାରିଖରେ ମନୋଜଙ୍କ ମୋବାଇଲ୍କୁ ଏକ ଅଜଣା ନମ୍ବରରୁ ଫୋନ୍ ଆସିଥିଲା। କଲ୍ କରିଥିବା ବ୍ୟକ୍ତି କ୍ରେଡିଟ୍ କାର୍ଡ ସମ୍ପର୍କିତ ତଥ୍ୟ ମାଗିଥିଲେ। ଏହାପରେ ତାଙ୍କ ଆକାଉଣ୍ଟରୁ ପର୍ଯ୍ୟାୟକ୍ରମେ ୪ ଲକ୍ଷ ୯୪ ହଜାର ୨୫ ଟଙ୍କା କଟିଯାଇଥିବା ଜଣାପଡ଼ିଥିଲା।
ଘଟଣା ଜାଣିବା ପରେ ମନୋଜ ସାଇବର ସେଲ୍ରେ ଅଭିଯୋଗ କରିବା ସହ ଅନୁଗୋଳ ସଦର ଥାନାରେ ଏତଲା ଦେଇଛନ୍ତି। ଏନେଇ ପୁଲିସ ଏକ ମାମଲା ରୁଜୁ କରି ସାଇବର ଠକେଇର ତଦନ୍ତ ଆରମ୍ଭ କରିଛି। ଅଜଣା ଫୋନ୍ କଲ୍ରେ କ୍ରେଡିଟ୍ କାର୍ଡ, ଓଟିପି କିମ୍ବା ବ୍ୟାଙ୍କ ତଥ୍ୟ ନଦେବାକୁ ପୁଲିସ ପରାମର୍ଶ ଦେଇଛି।












