ଅନୁଗୋଳ: ତାଳଚେର ପ୍ରଜାମଣ୍ଡଳ ଆନ୍ଦୋଳନର ପ୍ରଥମ ସହିଦ ବିକା ନାଏକଙ୍କ ୮୯ତମ ସହିଦ ଦିବସ ସୋମବାର କଣିହାଁ ଯାତ୍ରୀ ବିଶ୍ରାମାଗାର ପରିସରରେ ପାଳିତ ହୋଇଛି। ତାଳଚେର ସ୍ୱାଧୀନତା ସଂଗ୍ରାମୀ ମେମୋରିଆଲ ଟ୍ରଷ୍ଟ, କଣିହାଁ ପକ୍ଷରୁ ଆୟୋଜିତ ସ୍ମୃତିସଭାରେ ଟ୍ରଷ୍ଟ ସଭାପତି ବିନାୟକ ପ୍ରଧାନ ଅଧ୍ୟକ୍ଷତା କରିଥିଲେ।
୧୯୩୮ ସେପ୍ଟେମ୍ବର ୨୧ରେ ଇଂରେଜ ପଲିଟିକାଲ ଏଜେଣ୍ଟ ବେଜେଲଗେଟଙ୍କ ଗାଡ଼ି ସିଙ୍ଗଡ଼ା ନଦୀ ନିକଟରେ ଅଟକି ଯାଇଥିଲା।
ଗାଡ଼ି ଠେଲିବାକୁ ଗ୍ରାମବାସୀଙ୍କୁ ବେଠି ଖଟାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ପ୍ରଜାମଣ୍ଡଳ ଆନ୍ଦୋଳନର ଆହ୍ୱାନରେ ବିକା ନାଏକ ବେଠି ଖଟିବାକୁ ମନା କରିଥିଲେ। ଏଥିରେ ବେଜେଲଗେଟ ଗୁଳି ଚଳାଇବାରୁ ବିକା ନାଏକ ଘଟଣାସ୍ଥଳରେ ସହିଦ ହୋଇଥିଲେ।
ସଭାରେ ଏମ୍ସିଏଲ୍ କଣିହାଁ କ୍ଷେତ୍ରର ମହାପ୍ରବନ୍ଧକ ଦିନେଶ କୁମାର ମାଳିଙ୍କ ସମେତ ବହୁ ବ୍ୟକ୍ତି ଯୋଗଦେଇ ବିକା ନାଏକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ତାଙ୍କ ବଳିଦାନ ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ବୋଲି ମତ ପ୍ରକାଶ ପାଇଥିଲା। ଶେଷରେ କ୍ଷୀରସିନ୍ଧୁ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।












