ଅନୁଗୁଳ: ଜଣେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ଗୁରୁବାର ଅନୁଗୁଳର ଆଡହକ ଏଡିଜେ ତଥା ଫାଷ୍ଟଟ୍ରାକ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଅଦାଲତ ଅଭିଯୁକ୍ତ ଦଣ୍ଡଧର ନାଏକ (୪୦)ଙ୍କୁ ଦୋଷୀ ସାବ୍ୟସ୍ତ କରି ୨୫ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
ସୂଚନା ମୁତାବକ, ୨୦୨୪ ନଭେମ୍ବର ୨ ତାରିଖ ସନ୍ଧ୍ୟାରେ ଅନୁଗୁଳ ସଦର ଥାନା ଅଞ୍ଚଳର ଜନୈକା ନାବାଳିକା ନିଖୋଜ ହୋଇଯାଇଥିଲେ। ବେନ୍ତପୁର ମୁଣ୍ଡହତା ଗ୍ରାମର ଦଣ୍ଡଧର ନାଏକ ତାଙ୍କୁ ଅପହରଣ କରିଥିବା ନେଇ ପରିବାର ପକ୍ଷରୁ ଥାନାରେ ଏତେଲା ଦିଆଯାଇଥିଲା। ପୁଲିସ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିବା ସହ ପୋକ୍ସୋ ଆକ୍ଟ ଓ ବିଏନଏସର ବିଭିନ୍ନ ଦଫାରେ କୋର୍ଟ ଚାଲାଣ କରିଥିଲା।
ବିଚାରପତି ବିରଞ୍ଚି ନାରାୟଣ ମିଶ୍ର ୮ ଜଣ ସାକ୍ଷୀଙ୍କ ବୟାନ ଓ ପ୍ରମାଣକୁ ଆଧାର କରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି। କାରାଦଣ୍ଡ ସହ ଅଭିଯୁକ୍ତଙ୍କୁ ୫୦ ହଜାର ଟଙ୍କା ଜୋରିମାନା କରାଯାଇଛି, ଯାହା ଅନାଦେୟ ହେଲେ ଅଧିକ ବର୍ଷେ ଜେଲ୍ ଭୋଗିବାକୁ ପଡ଼ିବ। ଏଥିସହ ପୀଡ଼ିତାଙ୍କୁ ୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ଓକିଲ ପ୍ରଶାନ୍ତ କୁମାର ରଥ ଏହି ମାମଲା ପରିଚାଳନା କରୁଥିଲେ।











