ଅନୁଗୁଳ: ଚଳିତ ୨୬ରୁ ଆରମ୍ଭ ହେଉଛି ଅନୁଗୁଳ ଜିଲ୍ଲା ମହୋତ୍ସବ। ୨୮ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଝୁମିବ ଅନୁଗୁଳ ଷ୍ଟାଡିୟମ୍। ଏଥିପାଇଁ ମଶାଲ ଶୋଭାଯାତ୍ରା ୨୨ ତାରିଖରେ ଆୟୋଜନ କରାଯିବ। ଆଜି ପୂର୍ବାହ୍ନରେ ଅନୁଗୁଳ ଉପଜିଲ୍ଲାପାଳ ମାୟାଧର ବେହେରାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି।
ବୈଠକରେ ଉପଜିଲ୍ଲାପାଳ ମଶାଲ ଶୋଭାଯାତ୍ରାରେ ସମ୍ପୃକ୍ତ ଥିବା ବିଭିନ୍ନ ବିଭାଗ ଗୁଡ଼ିକର ଦାୟିତ୍ବ ଓ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିବା ସହ ମଶାଲ ଶୋଭାଯାତ୍ରାକୁ ସଫଳ ରୂପାୟନ କରିବା ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ମଶାଲ ଶୋଭାଯାତ୍ରାରେ ଜିଲ୍ଲାର ୪ ଗୋଟି ସ୍ଥାନ ପାଳଲହଡ଼ାର ଖୁଲୁଡ଼ି ଶୈବ ପୀଠ, ଆଠମଲ୍ଲିକର ଦେଉଳଝରୀ, ଟିକରପଡ଼ାର ଶିବ ମନ୍ଦିର ଓ ପୁରୁଣାଗଡ଼ର ଜଗନ୍ନାଥ ମନ୍ଦିର, ଛୈଦାର ବାୟାଣୀ ପୀଠରୁ ମଶାଲ ଆସିବ। ସେହିଦିନ ତାଳଚେର ମା’ହିଙ୍ଗୁଳାଙ୍କ ପୀଠରେ ଏକତ୍ରିତ ହୋଇ ଶୈଳଶ୍ରୀକ୍ଷେତ୍ର ମନ୍ଦିରରେ ସ୍ଥାପିତ ହେବ।
ଅନ୍ୟମାନଙ୍କ ମଧ୍ୟରେ ଅନୁଗୁଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡଃ ବିଶ୍ବଭୂଷଣ, ଅନୁଗୁଳ ତହସିଲଦାର ଆଲୋକ କୁମାର ଦେହୁରା, ପଦା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅରବିନ୍ଦ ବେହେରା, ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ, ଅନୁଗୁଳ ପୌରପାଳିକାର ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀ ଶଙ୍କର ବେହେରା, ଡେପୁଟି କଲେକ୍ଟର ସ୍ବାହା ମହାନ୍ତି, ଜିଲ୍ଲା ସଂସ୍କୃତି ଅଧିକାରୀ ଦୁଃଶାସନ ନାଏକଙ୍କ ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।