ଅନୁଗୁଳ: ଅନୁଗୁଳ ସମ୍ବଲପୂର ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟ ଡିସେମ୍ବର ସୁଦ୍ଧା ଶେଷ କରିବାକୁ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରି ଠିକା ସଂସ୍ଥାକୁ ତାଗିଦ୍ କରିଛନ୍ତି। ମିଶ୍ରପଡା ସ୍ଥିତ ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଏକଥା ପ୍ରକାଶ କରିଚନ୍ତି ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ପ୍ରଧାନ। ଦିଲ୍ଲୀରେ ମନ୍ତ୍ରୀ ନୀତିନ ଗଡକରୀଙ୍କ ବାସ ଭବନରେ ଅନୁଗୁଳ ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ଆଲୋଚନା ହୋଇଥିଲା। ଭୁବନ କାମାକ୍ଷାନଗର ଦେଇ ଯାଉଥିବା ଡୁବୁରି-ବହ୍ଲର ଛକର ଉନ୍ନତିକରଣ,ଗୋଡ଼ିବନ୍ଧ ଠାରୁ ବଅଁରପାଳ ରାସ୍ତାର ପ୍ରଶସ୍ତିକରଣ,ରାଜପଥ ପ୍ରକଳ୍ପ ଗୁଡ଼ିକର ପରିବେଶ ମଞ୍ଜୁରୀ ଆଦି ଉପରେ ଆଲୋଚନା ମଧ୍ୟ ହୋଇଥିଲା। ଅନୁଗୁଳ ୫୫ ନମ୍ୱର୍ ଜାତୀୟ ରାଜପଥ ପାଇଁ ମନ୍ତ୍ରୀ ଶ୍ରୀ ଗଡକରି ସ୍ଵତନ୍ତ୍ର ଦୃଷ୍ଟି ଦେଉଥିବାରୁ ଜିଲ୍ଲା ବିଜେପି ପକ୍ଷରୁ ତାଙ୍କୁ ଧନ୍ୟବାଦ୍ ଅର୍ପଣ କରାଯାଇଥିଲା।
ସେହିଭଳି ନାଲକୋକୁ ବନ୍ଦ କରିଦେବା ପାଇଁ ବିଜେଡିର ଜନୈକ ନେତା ଗୋଟିଏ ୟୁନିଅନକୁ ଧରି ଷଡ଼ଯନ୍ତ୍ର କରୁଥିବା ଶ୍ରୀ ପ୍ରଧାନ ଅଭିଯୋଗ କରିଥିଲେ। ନିଜ ସ୍ବାର୍ଥ ପାଇଁ ଜିଲ୍ଲା ବାସୀଙ୍କ ସ୍ବାର୍ଥକୁ ସେ ବଳି ପକାଇବାକୁ ଚାହୁଁଛନ୍ତି ବୋଲି ସେ ଅଭିଯୋଗ କରିଥିଲେ। ରାଜପଥ ଓ ବାଇପାସ୍ ନିର୍ମାଣ କ୍ଷେତ୍ରରେ ବିଜେଡି ନେତା ମାନେ ଖାଲି ଅଭିଯୋଗ କରୁଥିବା ବେଳେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶରେ ଏବଂ ଏନ୍ଏଚ୍ଏଆଇର ସହଯୋଗ ରେ ଖୁବ୍ଶୀଘ୍ର ରାଜପଥ ନିର୍ମାଣ ସଂପୂର୍ଣ୍ଣ ହେବ ବୋଲି ଶ୍ରୀ ପ୍ରଧାନ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସାଂସଦ ରୁଦ୍ର ପାଣି,ବିଜେପି ନେତା ଯଯାତି ପଟ୍ଟନାୟକ ଦିଲୀପ ଦାସ,ଅମିୟ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।











