ଅନୁଗୋଳ: ଅନୁଗୋଳ ସ୍ଥିତ ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜରେ ଷ୍ଟାଫ ନର୍ସ ନିଯୁକ୍ତିରେ ବଡ଼ଧରଣର ଜାଲିଆତି ପଦାକୁ ଆସିଛି। ନିଯୁକ୍ତି ପ୍ରକ୍ରିୟାରେ ପ୍ରାର୍ଥୀମାନଙ୍କ ସାର୍ଟିଫିକେଟ ଯାଞ୍ଚରେ ଗୁରୁତର ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ଏହି ନିଯୁକ୍ତି ଦାୟିତ୍ୱରେ ଥିବା ସେବା ପ୍ରଦାନକାରୀ ସଂସ୍ଥା ‘ମେସର୍ସ କମାଣ୍ଡୋ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ ଲିମିଟେଡ୍’ ଏଥିପାଇଁ ସିଧାସଳଖ ଦାୟୀ ବୋଲି ଜଣାପଡିଛି।
ଏହି ସମ୍ବେଦନଶୀଳ ମାମଲାର ତଦନ୍ତ ପରେ ଅନୁଗୋଳ ଜିଲ୍ଲାପାଳ ଅବଦଲ ଏମ ଅଖତାର କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ଜନସ୍ୱାସ୍ଥ୍ୟ ପ୍ରତି ବିପଦ ଏବଂ ବିଶ୍ୱାସଘାତକତାକୁ ଦୃଷ୍ଟିରେ ରଖି ଉକ୍ତ ସଂସ୍ଥାକୁ ଅନୁଗୋଳ ଜିଲ୍ଲାରେ ସମସ୍ତ ସରକାରୀ ଓ ପିଏସୟୁ କାର୍ଯ୍ୟ ପାଇଁ ସ୍ଥାୟୀ ଭାବେ କଳା ତାଲିକାଭୁକ୍ତ କରାଯାଇଛି। ଏଥିସହିତ ତାଳଚେର କୋଲିୟରୀ ଥାନାରେ ସଂସ୍ଥା ବିରୋଧରେ ମାମଲା ରୁଜୁ ହୋଇଛି। ଜିଲ୍ଲା ପ୍ରଶାସନ ଓ ଏମସିଏଲ୍ କର୍ତ୍ତୃପକ୍ଷଙ୍କ ମିଳିତ ତଦନ୍ତ ବର୍ତ୍ତମାନ ଜାରି ରହିଛି।











