ଅନୁଗୋଳ: ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ଅଞ୍ଚଳରେ ଜଣେ ୫ ବର୍ଷର ନାବାଳିକା ଶିଶୁ ସହିତ ପାଶବିକ ବ୍ୟଭିଚାର ଘଟଣାରେ କୋର୍ଟ କଠୋର ଦଣ୍ଡବିଧାନ କରିଛନ୍ତି। ଅନୁଗୋଳ ଅତିରିକ୍ତ ଜିଲ୍ଲା ଜଜ୍ (ସ୍ୱତନ୍ତ୍ର ପୋକସୋ କୋର୍ଟ) ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଅଭିଯୁକ୍ତ ମହେଶ୍ୱର ସାହୁକୁ ୭ ବର୍ଷର ସଶ୍ରମ ଜେଲ୍ ଦଣ୍ଡ ଏବଂ ୫ ହଜାର ଟଙ୍କା ଜରିମାନାଦେଶ ଶୁଣାଇଛନ୍ତି।
ସୂଚନାଯୋଗ୍ୟ ଯେ, ପରିବାର ଲୋକେ ଅନୁପସ୍ଥିତ ଥିବା ସମୟରେ ଅଭିଯୁକ୍ତ ୫ ବର୍ଷର ନାବାଳିକାକୁ ପ୍ରଲୋଭନ ଦେଖାଇ ନିଜ ଘରକୁ ନେଇ ଜଘନ୍ୟ କାଣ୍ଡ ଘଟାଇଥିଲା। ଏନେଇ ପୀଡ଼ିତାଙ୍କ ମାଆ ଜରପଡ଼ା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ସ୍ୱତନ୍ତ୍ର ପୋକସୋ କୋର୍ଟରେ ବିଚାର ଚାଲିଥିବା ଏହି ମାମଲାକୁ ସରକାରୀ ଓକିଲ ଦିଲ୍ଲୀପ କୁମାର ଦାସ ଏବଂ ସହଯୋଗୀ ଓକିଲ ଅଶୋକ କୁମାର ସାହୁ ପରିଚାଳନା କରିଥିଲେ।











