ଅନୁଗୁଳ: ଫେବ୍ରୁଆରୀ ୨୫ ତାରିଖ କିଶୋରନଗର ବ୍ଲକ୍ ତଥା ହଣ୍ଡପା ଥାନା ଇଲାକା ତଥା ନାକଚି ପଞ୍ଚାୟତର ପୁରୁଣାପାଣି ଜଙ୍ଗଲରୁ ଗଳିତ ମୃତଦେହ ଉଦ୍ଧାର ଘଟଣାର ତଦନ୍ତ ମୋଡ଼ ବଦଳିଛି। ପୂର୍ବରୁ ଏ ନେଇ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇଥିଲା ବେଳେ, ପୋଷ୍ଟମର୍ଟମ ରିପୋର୍ଟ ମିଳିବା ପରେ ହତ୍ୟା ମକଦ୍ଦମାକୁ ପରିବର୍ତ୍ତନ ହୋଇଛି। ଶ୍ୱାସରୁଦ୍ଧ ଏବ ନିଆଁରେ ପୋଡ଼ିବା କାରଣରୁ ସଂପୃକ୍ତ ଯୁବକଙ୍କର ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରେ ବ୍ୟବଚ୍ଛେଦକାରୀ ଡାକ୍ତର ଦର୍ଶାଇଛନ୍ତି । ଏହି ମର୍ମରେ ଆଇପିସି ଦଫା ୩୦୨ ଓ ୨୦୧ରେ ପୁଲିସ ମାମଲା ରୁଜୁ କରି ଅଧିକ ଅନୁସନ୍ଧାନ ଚଳାଇଛି। ଖୋଦ୍ ଆଇଆଇସି ଲଵ ବୋଡ଼ା ମାମଲାର ତଦନ୍ତ କରୁଛନ୍ତି। ସୂଚନାଯୋଗ୍ୟ, ଗତ ୨୫ ତାରିଖରେ ପୁରୁଣାପାଣି ଝରଣାଠାରେ ଏକ ଶବ ପଡ଼ିଥିବା ପୁଲିସ ସୂଚନା ପାଇଥିଲା। ଗଳିତ ଶବର ମୃତକର ପରିଚୟ ମିଳିପାରିନାହିଁ । ତେବେ ତାଙ୍କର ବୟସ ୩୦ରୁ ୩୫ ବର୍ଷ ମଧ୍ୟରେ ହେବ ବୋଲି ପୁଲିସ ଅନୁମାନ କରିଛି । ଯେଉଁଠି ମୃତଦେହ ପଡ଼ିଥିଲା ସେଠାରୁ ପ୍ରାୟ ଏକ ଶହ ମିଟର ଦୂରରେ ଭଗବତ ଗୀତା ଏବଂ କିଛି ଟଙ୍କା ମଧ୍ୟ ପୁଲିସ ଉଦ୍ଧାର କରିଥିଲା । କେହି ଯୁବକଙ୍କୁ ହତ୍ୟା କରିବ ସହ ପୋଡ଼ି ପ୍ରମାଣନଷ୍ଟ କରିବାକୁ ଉଦ୍ୟମ କରିଥାଇପାରେ ବୋଲି ସେତେବେଳେ ସନ୍ଦେହ ସୃଷ୍ଟି ହୋଇଥିଲା । ମୃତକଙ୍କ ପରିଚୟ ମିଳିଲେ ତଦନ୍ତ ପ୍ରକ୍ରିୟା ଅଧିକ ତ୍ୱରାନ୍ୱିତ ହୋଇପାରନ୍ତା ବୋଲି କୁହାଯାଇଛି।
ହଣ୍ଡପାରୁ ଅଜଣା ଯୁବକର ଗଳିତ ଶବ ଉଦ୍ଧାର ଘଟଣା
- Post published:March 13, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
