ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ବିକ୍ରମପୁର ଭଞ୍ଜମଣ୍ଡପ ପରିସରରେ ଚାଲିଥିବା ୧୩ତମ ଅନୁଗୁଳ ଜିଲ୍ଲା କିରୋଗି ଓ ଷଷ୍ଠ ପୁମ୍ପସେ ତାଇକୋଣ୍ଡୋ ପ୍ରତିଯୋଗିତା ଉଦ୍ଯାପିତ ହୋଇଛି। ଅନୁଗୁଳ ଜିଲ୍ଲା ତାଇକୋଣ୍ଡୋ ସଂଘର ସମ୍ପାଦକ ପ୍ରମୋଦ କୁମାର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ପ୍ରତିଯୋଗିତାରେ ତାଳଚେର ତାଇକୋଣ୍ଡୋ ଏକାଡେମୀର ୫୦ ପ୍ରତିଯୋଗୀ, ଦାନିସ୍ ତାଇକୋଣ୍ଡୋ ଏକାଡେମୀର ୧୫ ଜଣ ଓ ଇକୋ ରେଲୱେ ତାଇକୋଣ୍ଡୋ ଏକାଡେମୀର ୨୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ କିରୋଗି ଓ ପୁମ୍ପସେ ତାଇକୋଣ୍ଡୋ ପ୍ରତିଯୋଗିତାରେ ଜିଲ୍ଲାର ୮୫ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଓଡ଼ିଶା ତାଇକୋଣ୍ଡୋ ଆସୋସିଏସନର ସାଧାରଣ ସମ୍ପାଦକ ମନମୋହନ ଭଞ୍ଜ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
କିରୋଗି ପ୍ରତିଯୋଗିତାରେ ତାଳଚେର ତାଇକୋଣ୍ଡୋ ଏକାଡେମୀ ଚାମ୍ପିୟାନ୍ ଓ ଦାନିସ୍ ତାଇକୋଣ୍ଡୋ ଏକାଡେମୀ ରନର୍ସ ଅପ୍ ଏବଂ ପୁମ୍ପସେ ପ୍ରତିଯୋଗିତାରେ ତାଳଚେର ତାଇକୋଣ୍ଡୋ ଏକାଡେମୀ ଚାମ୍ପିୟନ୍ ଓ ଇକୋ ରେଳୱେ ତାଇକୋଣ୍ଡୋ ଏକାଡେମୀ ରନର୍ସ ଅପ୍ ହୋଇଥିଲେ। ଉଦ୍ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ତାଳଚେର ଭାରୀ ଜଳ କାରଖାନାର ବରିଷ୍ଠ ଅଧିକାରୀ ଜୈତୁଲ ହକ୍ ଓ ସମ୍ମାନିତ ଅତିଥି ଏ.କେ.ରଥ, ଓଡିଶା ତାଇକୋଣ୍ଡୋ ଆସୋସିଏନର ସାଧାରଣ ସମ୍ପାଦକ ମନମୋହନ ଭଞ୍ଜ ଓ ଅନୁଗୁଳ ଜିଲ୍ଲା ତାଇକୋଣ୍ଡୋ ସଂଘର ସମ୍ପାଦକ ପ୍ରମୋଦ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇ ପ୍ରତିଯୋଗୀଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ କୋଚ୍ ସୁଶାନ୍ତ ପ୍ରଧାନ ଓ ପ୍ରଦୀପ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ।
