ମାନବ-ହାତୀ ସଂଘର୍ଷରେ ଲାଗିବ ବ୍ରେକ୍: ଅନୁଗୁଳରେ ବୁଲିବ ବନ ବିଭାଗର ‘ସଚେତନତା ରଥ’

You are currently viewing ମାନବ-ହାତୀ ସଂଘର୍ଷରେ ଲାଗିବ ବ୍ରେକ୍: ଅନୁଗୁଳରେ ବୁଲିବ ବନ ବିଭାଗର ‘ସଚେତନତା ରଥ’

ଅନୁଗୁଳ: ଅନୁଗୁଳ ଅଞ୍ଚଳରେ ମାନବ-ହାତୀ ସଂଘର୍ଷ କମାଇବା ଏବଂ ଉଭୟଙ୍କ ସୁରକ୍ଷିତ ସହଅବସ୍ଥାନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ସ୍ଥାନୀୟ ବିଧାୟକଙ୍କ ଅଧ୍ୟକ୍ଷତାରେ ଅନୁଗୁଳ ଆର.ସି.ସି.ଏଫ୍ (RCCF), ଡି.ଏଫ୍.ଓ (DFO), ରେଞ୍ଜ ଅଫିସର ଓ ବନ ବିଭାଗର କ୍ଷେତ୍ରୀୟ କର୍ମଚାରୀମାନଙ୍କୁ ନେଇ ଏହି ଉଚ୍ଚସ୍ତରୀୟ ଆଲୋଚନା ହୋଇଥିଲା। ଲୋକ ଓ ହାତୀଙ୍କ ମଧ୍ୟରେ ଲଢ଼େଇ କମାଇ ଉଭୟଙ୍କ ଜୀବନ ରକ୍ଷା କରିବା ଏହି ବୈଠକର ମୂଳ ଲକ୍ଷ୍ୟ ଥିଲା।

ଏହି ଅବସରରେ ଜନସଚେତନତା ସୃଷ୍ଟି କରିବା ପାଇଁ ଏକ ବିଶେଷ ‘ଏଲ୍ଇଡି (LED) ସଚେତନତା ଗାଡ଼ି’ର ଶୁଭାରମ୍ଭ କରାଯାଇଛି। ଏହି ରଥଟି ଅନୁଗୁଳ ବନଖଣ୍ଡର ସମସ୍ତ ସଂବେଦନଶୀଳ ଓ ହାତୀପ୍ରବଣ ଗାଁଗୁଡ଼ିକ ବୁଲି ଲୋକଙ୍କୁ ସଚେତନ କରିବ। ହାତୀ ଆସିଲେ କଣ କରିବେ, କେମିତି ସୁରକ୍ଷିତ ରହିବେ ଏବଂ ହାତୀ ସହ ହିଂସା ନକରି କିଭଳି ଶାନ୍ତିପୂର୍ଣ୍ଣ ଭାବେ ସହଅବସ୍ଥାନ କରିବେ, ସେହି ବାର୍ତ୍ତା ଏଲ୍ଇଡି ସ୍କ୍ରିନ୍ ମାଧ୍ୟମରେ ପ୍ରଦର୍ଶିତ ହେବ।

ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା ପାଇଁ ଜନସାଧାରଣଙ୍କ ସହଯୋଗ ଏକାନ୍ତ ଜରୁରୀ। ଏହି ପ୍ରୟାସ ଦ୍ୱାରା ଅଞ୍ଚଳରେ ହାତୀ ସୁରକ୍ଷିତ ରହିବା ସହ ମଣିଷ ଓ ହାତୀ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା ହୋଇପାରିବ ବୋଲି ବନ ବିଭାଗ ଆଶା ପ୍ରକଟ କରିଛି।

Share

Leave a Reply