ଅନୁଗୁଳ: ଅନୁଗୁଳ ବନଖଣ୍ଡ ଅଧୀନସ୍ଥ ବନ୍ତଳା ବନାଞ୍ଚଳରେ ସର୍ବାଧିକ ହାତୀ-ମଣିଷ ଲଢ଼େଇ ଦେଖିବାକୁ ମିଳୁଛି। କିଛିଦିନ ହେବ କିଛି ଦଳ ହାତୀ ଏଠାକାର ପାହାଡ଼ ପାଖ ଜଙ୍ଗଲରେ ରହୁଥିବା ବେଳେ ଆଖପାଖ ଗାଁରେ ସନ୍ଧ୍ୟା ହେବା ମାତ୍ରେ ପଶି ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। ଏଥିରେ ଅତିଷ୍ଠ ହୋଇ ଗୁରୁବାର ପୂର୍ବାହ୍ନରେ ସଦର ବନାଞ୍ଚଳ ଅଧୀନରେ ଥିବା ଦୁଇଟି ଗାଁର ଲୋକେ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି।
ଗ୍ରାମବାସୀଙ୍କ ଲିଖିତ ଅଭିଯୋଗ ମୁତାବକ, ମୂଷାପାପୁଲି ଓ କର୍ଣ୍ଣପୁର ଗ୍ରାମ ମୁଖ୍ୟତଃ ଚାଷବାସ ଉପରେ ନିର୍ଭର କରି ଚଳିଥାନ୍ତି। ଗାଁରେ ୩୫୦ ରୁ ଅଧିକ ପରିବାର ବସବାସ କରୁଥିବା ବେଳେ ଲୋକ ସଂଖ୍ୟା ୨୫୦୦ ହେବ। ଏଠାକାର ଲୋକ କୃଷି କାର୍ଯ୍ୟ କରି ଚଳନ୍ତି। କିନ୍ତୁ ଏବେ କିଛି ଦିନ ହେବ ଗାଁ ପାଖ ଜଙ୍ଗଲରେ ହାତୀ, ବାରହା ଓ ଅନ୍ୟ ବନ୍ୟଜନ୍ତୁ ଆସି ସମସ୍ତ ଚାଷ ଜମି ନଷ୍ଟ କରି ଦେଉଛନ୍ତି। ଫଳରେ ଚାଷୀମାନେ ବହୁ କ୍ଷତି ସହୁଛନ୍ତି। ଏଥିସହ ବନ୍ୟଜନ୍ତୁ ଲୋକଙ୍କ ଜୀବନ ବି ନେଉଛନ୍ତି। ଏଣୁ ସରକାରଙ୍କ ପକ୍ଷରୁ ସୌରଚାଳିତ ଝଟକା ଯନ୍ତ୍ର ଖଞ୍ଜିବା ସହ ଦୁଇ କିଲୋମିଟର ପରିସୀମା ବିଶିଷ୍ଟ ଅଞ୍ଚଳକୁ ସୋଲାର ବାଡ଼ ଦେବାକୁ ଗ୍ରାମବାସୀ ଦାବି ରଖିଛନ୍ତି।
ଏହି ଦାବି ବେଳେ ମୂଷାପାପୁଲି ଗ୍ରାମବାସୀଙ୍କ ସହ ଗ୍ରାମ ସଭାପତି ସତ୍ୟାନନ୍ଦ ପ୍ରଧାନ, ସମ୍ପାଦକ କ୍ଷୀରୋଦ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟପଟେ ଅନୁଗୁଳ ବନଖଣ୍ଡ ଅଧିକାରୀ ନୀତିଶ କୁମାର ଗ୍ରାମବାସୀଙ୍କ ସହ ଆଲୋଚନା କରିବା ସହ ଶୀଘ୍ର ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି।











