ଅନୁଗୋଳ: ଅନୁଗୋଳ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନ (ଡାଏଟ୍)ର ଚତୁର୍ଥ ଶ୍ରେଣୀ କର୍ମଚାରୀ ସନ୍ଧ୍ୟାରାଣୀ ଦେହୁରୀ ଆଜି ସରକାରୀ ସେବାରୁ ସଫଳତାର ସହ ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଏକ ଭାବବିହ୍ୱଳ ବିଦାୟକାଳୀନ ସଭା ଆୟୋଜିତ ହୋଇଥିଲା।
ସଭାରେ ଅଧ୍ୟକ୍ଷ, ଅଧ୍ୟାପକ, କର୍ମଚାରୀ ଓ ଛାତ୍ର-ଶିକ୍ଷକମାନେ ଶ୍ରୀମତୀ ଦେହୁରୀଙ୍କ ନିଷ୍ଠାପୂର୍ଣ୍ଣ କର୍ମଦକ୍ଷତା, ସରଳ ବ୍ୟକ୍ତିତ୍ୱ ଓ ସହଯୋଗୀ ମନୋଭାବର ଭୂୟସୀ ପ୍ରଶଂସା କରିଥିଲେ। ସେ ନିଜର ଆନ୍ତରିକତା ଓ ଯତ୍ନଶୀଳ ସ୍ୱଭାବ ବଳରେ କେବଳ ସହକର୍ମୀ ନୁହେଁ, ବରଂ ଛାତ୍ର-ଶିକ୍ଷକ ତଥା ଜିଲ୍ଲାର ଶିକ୍ଷକ ସମାଜ ମଧ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ।
ଏହି ସମ୍ବର୍ଦ୍ଧନା ସଭାରେ ତାଙ୍କୁ ସ୍ମାରକ, ପ୍ରଶଂସାପତ୍ର ଓ ଉପହାର ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ବକ୍ତାମାନେ ତାଙ୍କର ସୁସ୍ଥ ଓ ଦୀର୍ଘ ଜୀବନ କାମନା କରିଥିଲେ। ଶେଷରେ ଶ୍ରୀମତୀ ଦେହୁରୀ ସମସ୍ତଙ୍କ ଭଲପାଇବା ଓ ସମ୍ମାନ ପାଇଁ କୃତଜ୍ଞତା ଜ୍ଞାପନ କରି ନିଜ କର୍ମମୟ ଜୀବନର ସ୍ମୃତି ଚାରଣ କରିଥିଲେ। ସମଗ୍ର କାର୍ଯ୍ୟକ୍ରମଟି ଏକ ସ୍ମରଣୀୟ ପରିବେଶ ମଧ୍ୟରେ ସମାପ୍ତ ହୋଇଥିଲା।











